ରାସ୍ତାରେ ଶିକ୍ଷକ, ସ୍କୁଲରେ ହୋଇପାରୁନି ଠିକ୍ ଭାବେ ପାଠପଢ଼ା : ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ଅପିଲ

277

କନକ ବ୍ୟୁରୋ : ସମାନ କାମକୁ ସମାନ ଦରମା ଦାବିରେ ସାରା ରାଜ୍ୟରେ ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ପ୍ରତିବାଦ । ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ ହୋଇପଡିଛି । ରାଜ୍ୟ ସରକାର ଏବେ ସ୍ଥିତିକୁ ଦେଖି ଆନ୍ଦୋଳନ ପ୍ରତ୍ୟାହାର ପାଇଁ କହିଛନ୍ତି । ସୋମବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ବସିଥିଲା । ହେଲେ ବୈଠକରୁ କୌଣସି ସୁଫଳ ମିଳିପାରିନି ।

ଏହାପରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ଶିକ୍ଷକ ସଂଘ ଦାବି କରିଥିବା ସମ୍ପର୍କରେ ଆଲୋଚନା ପାଇଁ ଏକ ୫ ଜଣିଆ ସବ କମିଟି ଗଠନ ହୋଇଛି । ଅନ୍ୟପଟେ ଶିକ୍ଷକ ସଂଘର ଆଜି ଷ୍ଟିୟରିଂ କମିଟି ବୈଠକ ବସିବ । ଗୋଟିଏ ପଟେ ନିର୍ବାଚନ ପୂର୍ବରୁ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦ ପୂରଣ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲିଠୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଆବେଦନ ଆରମ୍ଭ ହେବାକୁ ଯାଉଛି । ହେଲେ ଶିକ୍ଷକ ଶିକ୍ଷୟତ୍ରୀ ଯେଉଁଭଳି ଭାବେ ନିଜ ଜିଦରେ ଅଡି ବସିଛନ୍ତି ତାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।