ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା : ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ; ରୁଷୀୟ ଦମ୍ପତି ଓ ଗାଇଡ୍‌ଙ୍କୁ ଜେରା

174

କନକ ବ୍ୟୁରୋ : ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି ଅନ୍ୟ ଦୁଇ ରୁଷୀୟ ନାଗରିକ । ଦୁଇ ନାଗରିକଙ୍କ ସହ ଗାଇଡ୍ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ଏମାନଙ୍କୁ ଦୁଇ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ସମ୍ପର୍କରେ ଅଧିକ ପଚରାଉଚୁରା କରୁଥିବା ସୂଚନା ମିଳିଛି ।

ଉଭୟ ପର୍ଯ୍ୟଟକ ରହୁଥିବା ରାୟଗଡ଼ା ସ୍ଥିତ ହୋଟେଲରେ ପହଞ୍ଚି ପୋଲିସ ବରିଷ୍ଠ ଅଧିକାରୀ ତନାଘନା କରିଛନ୍ତି । ସେମାନେ କେବେ ଓଡ଼ିଶା ଆସିଥିଲେ ? କେଉଁଠି କେଉଁଠି ବୁଲିଲେ ଏ ନେଇ ଗାଇଡଙ୍କୁ ପଚରାଯାଇଛି । ରୁଷ ଦୂତାବାସ ପାୱେଲଙ୍କ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ଅନୁମତି ଦେବା ପରେ ଗୋଟିଏ ଡାକ୍ତରୀ ଦଳ ଗଠନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିଛି ପୋଲିସ । ମୃତ୍ୟୁ ହୋଇଥିବା ଦୁଇ ରୁଷୀୟଙ୍କ ମଧ୍ୟରୁ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଅନ୍ୟ ଜଣେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି ।

କିନ୍ତୁ ସାଂସଦ ପାଭେଲ କିଛି ଦିନ ତଳେ ପୁଟିନଙ୍କୁ ସମାଲୋଚନା କରିଥିଲେ । ଏବେ ସେ ଓଡିଶା ବୁଲିବାକୁ ଆସିଥିବା ବେଳେ ଅଚାନକ ତାଙ୍କର ମୃତ୍ୟୁ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ରୁଷ ପର୍ଯ୍ୟଟକ ମୃତ୍ୟୁ ହେଲା କେମିତି ? ଅଘଟଣ ଯୋଗୁଁ ମୃତ୍ୟୁ ଘଟିଲା ନା’ ଆଉ କିଛି ରହସ୍ୟ ରହିଛି ? ଆଗ ପଛ ହୋଇ ଭ୍ଲାଦିମିର ବିଦାନାଭ ଏବଂ ପାଭେଲ ଆଂଟୋଭଙ୍କ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।