ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯକରଣକୁ ନେଇ ବିବାଦ ଭିତରେ ଏନଏମଏର ମୁଖିଆ ହେଲେ ଓଡ଼ିଆ। ପ୍ରଫେସର କିଶୋର ବାସାଙ୍କୁ ମିଳିଲା ନିଯୁକ୍ତି।

93

କନକ ବ୍ୟୁରୋ: ଶ୍ରୀମନ୍ଦିର ଐତିହ୍ୟ କରିଡର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ବିବାଦ ଚାଲିଥିବା ବେଳେ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନ୍.ଏମ୍.ଏର ଅଧ୍ୟକ୍ଷ ଭାବେ ପ୍ରଫେସର କିଶୋର କୁମାର ବାସା ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ପରେ ସେ କହିଛନ୍ତି, ଐତିହ୍ୟ କେବଳ ଅତୀତର ସ୍ମୃତି ନୁହେଁ, ଭବିଷ୍ୟତ ପାଇଁ ପ୍ରେରଣା ଦେଇଥାଏ । ଐତିହ୍ୟକୁ ସୁରକ୍ଷିତ ରଖି ଠିକ୍ ଭାବେ ଉପସ୍ଥାପନା କରିପାରିଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ।

ପ୍ରଫେସର ବାସା, ଏବେ ବାରିପଦା ସ୍ଥିତ ମହାରାଜା ଶ୍ରାରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ତାଙ୍କୁ ଏନଏମଏର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ । ଶ୍ରୀମନ୍ଦିର ଐତିହ୍ୟ କରିଡର ନେଇ ବିବାଦ ରହିଛି । ସେହିପରି ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ବିବାଦ ରହିଛି । ଆଉ ଏତିକି ବେଳେ ଜଣେ ଓଡ଼ିଆ ଭାବେ ଜାତୀୟ ସ୍ମାରକୀ ପ୍ରାଧିକରଣର ମୁଖ୍ୟ ହୋଇଛନ୍ତି ପ୍ରଫେସର କିଶୋର ବସା । ଏହି ବିବାଦର ସେ କିପରି ସମାଧାନ କରିବେ, ତାହା ସବୁଠୁ ବଡ଼ ଚ୍ୟାଲେଂଜ । ତେବେ ସେ କହିଛନ୍ତି – ଐତିହ୍ୟ ପାଇଁ ସମସ୍ତଙ୍କର ଭାବାବେଗ ରହିଥିବାରୁ ବିବାଦ ହେଉଛି । କିନ୍ତୁ ବିବାଦ ଯଦି ଧ୍ୱଂସ ଆଡ଼କୁ ଟାଣିନେବ, ତାହା ସ୍ୱାଗତଯୋଗ୍ୟ ନୁହେଁ । କେନ୍ଦ୍ର, ରାଜ୍ୟ, ସଂପୃକ୍ତ ବିଭାଗ, କୋର୍ଟଙ୍କ ନିର୍ଦ୍ଦେଶନାମା, ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ମତାମତ ନିଆଯାଇ ଏନ୍ଏମ୍ଏର ଆଇନ ଅନୁଯାୟୀ ସମସ୍ୟାର ସମାଧାନ କରାଯିବ ।

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରେ ପୂର୍ବରୁ ମଧ୍ୟ କାର୍ଯ୍ୟ କରିଛନ୍ତି ପ୍ରଫେସର କିଶୋର ବାସା । ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । କିନ୍ତୁ ଏଥର ତାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ତାଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ହେବ । ତାଙ୍କ ଉପରେ ରହିଛି ଦେଶର ଐତିହ୍ୟ ସୁରକ୍ଷା ଦାୟିତ୍ୱ ।