ଏ ବର୍ଷ ପାଣି ନେଉଥିବା ଚାଷୀଙ୍କୁ ମିଳିବନି ଆରବର୍ଷ ପାଣି। ତେଲେଙ୍ଗିରି ପ୍ରକଳ୍ପର ପାଣି ଭାଗବଣ୍ଟାକୁ ନେଇ ଏପରି ନିଷ୍ପତି ନେଲା ଜଳ ସମ୍ପଦ ବିଭାଗ। 

85

କନକ ବ୍ୟୁରୋ: ପାଣି ପାଇଁ ପାଳି । ପାଳି ଆସିଲେ ପାଣି ମିଳିବ, ପାଣି ମିଳିଲେ ଚାଷ ହେବ । କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପରୁ ଆସୁଥିବା ପାଣି, ଚାଷ ପାଇଁ ନିଅଂଟ ହେଉଥିବାରୁ ବୋରିଗୁମା ବ୍ଲକର ଚାଷୀଙ୍କୁ ବାଧ୍ୟବାଧକତାରେ ଭାଗବଣ୍ଟାକରିବାକୁ ନିଷ୍ପତି ହୋଇଛି । ରବି ଚାଷ ପାଇଁ ବୋରିଗୁମାର ୭ଟି ପଞ୍ଚାୟତର ଚାଷୀଙ୍କୁ ଏଥର ପାଣି ମିଳିବାକୁ ଥିବା ବେଳେ ୬ଟି ପଞ୍ଚାୟତର ଚାଷୀଙ୍କ ଆସନ୍ତାବର୍ଷ ମିଳିବ ।

କୋରାପୁଟ ଜିଲ୍ଲାର ତେଲେଙ୍ଗିରି ପ୍ରକଳ୍ପର ପାଣି ଓ ଜଳସେଚନକୁ ନେଇ ସାମ୍ନାକୁ ଆସିଛି, ଏଭଳି ଏକ ଚିନ୍ତାଜନକ ଖବର । ରବି ଫସଲ ପାଇଁ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ବୋରିଗୁମା ବ୍ଲକର ଚାଷୀ, କାରଣ ଚାଷ ପାଇଁ ଆବଶ୍ୟକ ହେଉଥିବା ପାଣି ନିଣ୍ଟିିଆ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହି ସମସ୍ୟାର ସମାଧାନ ପାଇଁ ବସିଛି ଏହି ବୈଠକ । ବୈଠକର ନିଷ୍କର୍ସ ବାହାରିଛି ଏଥର ୧୩ଟି ପଞ୍ଚାୟତ ମଧ୍ୟରୁ ୭ଟି ପଞ୍ଚାୟତକୁ ପାଣି ମିଳିଥିବାକୁ ଥିବା ବେଳେ ୬ଟି ପଞ୍ଚାୟତର ଚାଷୀଙ୍କ ଆଉ ଗୋଟିଏ ବର୍ଷ ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

ରବି ଫସଲ ପାଇଁ ଏଥର ବୋରିଗୁମା ବ୍ଲକର ୭ଟି ପଞ୍ଚାୟତ- ବିସିଂପୁର, ସେମଲା, ଗୁନା, ନାରୀଗାଁ, ରଣସପୁର, ମୁଣ୍ଡାଗୁଡ଼ା ଏବଂ ପୋଡ଼ାପଦର ଚାଷୀ ପାଣି ପାଇବେ । ସେହିପରି- କୁମୁଲି, କାମତା, ବୋଡିଗା,ଁ ମୁଞ୍ଜା, ଗୁମୁଡ଼ା ଏବଂ କାଠଗଡ଼ା ଚାଷୀଙ୍କୁ ଆର ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ । କେବଳ ସେତିକି ନୁହେଁ ଜଳସେଚନ ପାଇଁ ହୋଇଥିବା ଆଉଟଲେଟ୍ ବା ନିର୍ଗମନାଳି କିଛି ସ୍ଥାନରେ ଉଚ୍ଚରେ ବସିଥିବାରୁ ଚାଷୀଙ୍କ ବିଲକୁ ପାଣି ପହଞ୍ଚିପାରୁନଥିବା ଚାଷୀ କହିଛନ୍ତି ।

ଚାଷୀଙ୍କ ସମସ୍ୟା ଦୂର ପାଇଁ ତେଲେଙ୍ଗିରି ପ୍ରକଳ୍ପ ହୋଇଥିଲା । ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏଥିରୁ ମାତ୍ର ୪ ହଜାର ହେକ୍ଟର ଜମିକୁ ଜଳସେଚିତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ସେହିପରି କେନାଲ ସଙ୍କୁଚିତ ହେବା, ନାଳ ଫାଟିଯିବା ଏବଂ ନିର୍ଗମନାଳ ଠିକ୍ ସ୍ଥାନରେ ବସିନଥିବାରୁ ଜଳସେଚନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଭାଗବାଣ୍ଟି ପାଣି ଦେବାକୁ ବିଭାଗ ପକ୍ଷରୁ ଚାଷୀଙ୍କ ସହଯୋଗ ଲୋଡିଛି । ଭାଇ-ଭାଇ ମଧ୍ୟରେ ଜମି ଭାଗବଂଟା ହେବା, ପାଳିଓଳି କରି କାମ କରିବା ସମସ୍ତେ ଜାଣିଥିବେ କିମ୍ବା ଦେଖିଥିବେ, ହେଲେ ଚାଷ ପାଇଁ ପାଣିର ଭାଗହେବା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବ ।