ଛତିଶଗଡରେ ଓଡିଆ ପ୍ରାର୍ଥୀ । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ପୁରେନ୍ଦ୍ର ମିଶ୍ର । କହିଲେ, ପୂର୍ଣ୍ଣ ବହୁମତ ପାଇବ ବିଜେପି ।

254

କନକ ବ୍ୟୁରୋ: ଛତିଶଗଡ଼ରେ ଓଡ଼ିଆ ପ୍ରାର୍ଥୀ । ପ୍ରଥମ ଥର କରି ଜଣେ ଓଡ଼ିଆଙ୍କୁ ଛତିଶଗଡ଼ରେ ପ୍ରାର୍ଥୀ କରିଛି ବିଜେପି । ପୂରା ଛତିଶଗଡ଼ରେ ୩୫ ଲକ୍ଷ ଓଡ଼ିଆ ରହିଥିବା ବେଳେ କେବଳ ରାୟପୁରରେ ୪ ଲକ୍ଷରୁ ଅଧିକ ଓଡ଼ିଆ ରହିଛନ୍ତି । ଛତିଶଗଡ଼ ରାୟପୁରରେ ଜଣାଶୁଣା ଓଡ଼ିଆ ଚେହେରା ତଥା ଛତିଶଗଡ଼ର ସର୍ବ ଓଡ଼ିଆ ସମାଜର ଅଧ୍ୟକ୍ଷ, ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଭାପତି ପୁରେନ୍ଦ୍ର ମିଶ୍ର । ଏଥର ଦଳ ରାୟପୁର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ନିଜେ ବିଜୟୀ ହେବା ସହ ବିଜେପି ଏଥର ପୂର୍ଣ୍ଣ ବହୁମତ ପାଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପୁରେନ୍ଦ୍ର ମିଶ୍ର ।

ତେବେ ଆସନ୍ତାକାଲି ଆସିବ ୪ଟି ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ର ରେଜଲ୍ଟ ଆସିବ । ଘରବାହୁଡା ଭୋଟରଙ୍କ ମତ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଅଧିକାଂଶ ଏଗଜିଟ୍ ପୋଲ୍ କହୁଛି ଛତିଶଗଡ଼ରେ କଂଗ୍ରେସର ପଲ୍ଲା ଭାରି ରହିଛି । ଅନ୍ୟପଟେ ତେଲେଙ୍ଗାନାରେ କଂଗ୍ରେସ ଆଗରେ ଥିବା ଆକଳନ କରାଯାଉଥିବା ବେଳେ ରାଜସ୍ଥାନରେ ଆଗରେ ରହିଛି ବିଜେପି । ଆଉ ମଧ୍ୟପ୍ରଦେଶରେ ଦୁଇ ଦଳ ମଧ୍ୟରେ ହୋଇଛି କଡ଼ା ଟକ୍କର । ତେବେ କିଏ ଜିତିବ ନିର୍ବାଚନ? ପଦ୍ମ ଫୁଟିବ ନାଁ ହାତ ଆସିବ, ତାହା ଆସନ୍ତାକାଲି ସ୍ପଷ୍ଟ ହେବ ।