ବଲାଙ୍ଗୀରରେ ଚାଞ୍ଚଲ୍ୟ : ଝୁଲନ୍ତା ଅବସ୍ଥାରେ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

499

କନକ ବ୍ୟୁରୋ : ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ସହର ସୁଦପଡ଼ା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ବଲାଙ୍ଗୀର ସହରରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ରୁଚିସ୍ମିତା ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ।

ଅନେକ ସମ୍ବଳପୁରୀ ଗୀତରେ ସେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । ଆଲବମ୍ ଅଭିନେତ୍ରୀ ହେବା ସହ ସେ ଜଣେ କଣ୍ଠଶିଳ୍ପୀ ଭାବେ ବେଶ ଆଦୃତି ଲାଭ କରିଥିଲେ । ସୂଚନା ଅନୁସାରେ ମାଆଙ୍କ ସହ ସେ ତାଙ୍କ ମାମୁଘରକୁ ଯାଇଥିଲେ । ମାମୁଘର ପରିବାର ଲୋକଙ୍କ ସହ ମାଆ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ଝୁଲନ୍ତା ଅବସ୍ଥାରେ ରୁଚିସ୍ମିତାଙ୍କ ମୃତଦେହ ଦେଖିଥିଲେ । ଖବର ପାଇଁ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା’ ଏହା ପଛରେ ଅନ୍ୟ କାରଣ ରହିଛି, ଏ ନେଇ ଛାନଭିନ୍ କରୁଛି ପୁଲିସ ।