ଶ୍ରୀମନ୍ଦିର ପାଇଁ ନୂଆ ଏସଓପି: ଆସନ୍ତା ୩୧ ଓ ଜାନୁଆରୀ ୧ରେ ବନ୍ଦ ରହିବ ଶ୍ରୀଜିଉ ଦର୍ଶନ

117

କନକ ବ୍ୟୁରୋ: କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ।

କୋଭିଡ-୧୯ ସମୟରେ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସାଧାରଣ ଦର୍ଶକଙ୍କ ପାଇଁ ୨୦୨୧ ଡିସେମ୍ବର ୩୧ ତାରିଖ ଏବଂ ୨୦୨୨ ଜାନୁଆରି ୧ ତାରିଖ (ଇଂରାଜୀ ନବବର୍ଷ) ବନ୍ଦ ରହିବ। ସେହିପରି ଗତ ଅକ୍ଟୋବର ୧୩ ତାରିଖରେ ହୋଇଥିବା ଆଦେଶ ଅନୁସାରେ ପ୍ରତି ରହିବାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

ସେହିପରି ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି ଯଥା ବନକଲାଗି ଓ ପଇତାଲାଗି ନୀତି ଥିଲେ ଜୟ ବିଜୟ ଦ୍ୱାରା ଓ ବେହରଣ ଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ୨୦୨୨ ଜାନୁଆରି ୧୩ ତାରିଖ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋନ ପାଇଁ ନୀତିନିର୍ଘଣ୍ଟ ହୋଇଥିଲା। ସେହିପରି ନୂଆବର୍ଷର ୧୪ ତାରିଖରେ ମକରସଂକ୍ରାନ୍ତି ଓ ୧୭ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ପାଇଁ ନୀତିନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା।