‘ଓଡିଶା ବନିବ ଅଷ୍ଟ୍ରେଲିଆ’ । ଜାଣନ୍ତୁ କାହିଁକି ଏମିତି କହିଲେ ନୀତି ଆୟୋଗ ଉପାଧ୍ୟକ୍ଷ ?

1,326

କନକ ବ୍ୟୁରୋ : ଦେଶ ତୁଳନାରେ ଓଡିଶାରେ ମୁଣ୍ଡ ପିଛା ଆୟ ବଢିଛି । କୁପୋଷଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଭଲ କାମ କରିଛି । ରାଜ୍ୟ ସରକାରଙ୍କ ସହ ବୈଠକ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ନୀତିଆୟୋଗ ଉପାଧ୍ୟକ୍ଷ । ଏଥିସହ ସେ କହିଛନ୍ତି ଖଣିଜ ପଦାର୍ଥର ବିଦେଶ ପୁଞ୍ଜି ନିବେଶ ହେଲେ ଦେଶର ଅଷ୍ଟ୍ରେଲିଆ ପାଲଟିଯିବ ଓଡିଶା । ଅନ୍ୟପଟେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରୀୟ ସହାୟତା ଓ ସହଯୋଗ ପାଇଁ ନୀତି ଆୟୋଗଙ୍କ ଆଗରେ ଦାବି ରଖିଛନ୍ତି ।

‘ଓଡିଶା ବନିବ ଅଷ୍ଟ୍ରେଲିଆ’ । କାହିଁକି କହିଲେ ନୀତି ଆୟୋଗ ଉପାଧ୍ୟକ୍ଷ ? ଓଡିଶା ଗସ୍ତରେ ଆସି ନୀତି ଆୟୋଗ ଉପାଧ୍ୟକ୍ଷ, ଓଡିଶାର ବିକାଶକୁ ନେଇ ନୂଆ ପରିକଳ୍ପନା କରିଛନ୍ତି । କହିଛନ୍ତି ରାଜ୍ୟରେ ଯେତିକି ଖଣିଜ ପଦାର୍ଥ ରହିଛି, ସେଥିରେ ବିଦେଶୀ ପୁଞ୍ଜିନିବେଶ ହେଲେ ଅଷ୍ଟ୍ରେଲିଆ ଭଳି ଓଡିଶା ହୋଇଯିବ ।

ଆଗୁଆ ରାଜ୍ୟ ଭଳି ଓଡିଶାକୁ ଗୁରୁତ୍ୱ ଦିଆଯାଉ । ନୀତି ଆୟୋଗ ବୈଠକରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡିଶା ବହୁତ ଉନ୍ନତି କରିଛି । ଏଥିସହ ନୀତିଆୟୋଗ ଆଗରେ ବିଭିନ୍ନ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । ଏହାକୁ ମୁକାବିଲା କରିବାରେ ଭିତିଭୂମିର ଅଭାବ ରହିଛି । ଏହି ଦୃଷ୍ଟିରୁ ଭାରତ ସରକାର ଅନ୍ୟ ରାଜ୍ୟ ଭଳି ଓଡିଶାକୁ ବି ସ୍ୱତନ୍ତ୍ର ଫୋକସ ଦେବାର ଆବଶ୍ୟକତା ରହିଛି । ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବାକୁ କେନ୍ଦ୍ରର ସ୍ୱତନ୍ତ୍ର ବ୍ୟବସ୍ଥା ଜରୁରୀ । ରାଜ୍ୟର ବିକାଶମୂଳକ କାମ ପାଇଁ ନୀତି ଆୟୋଗର ସହାୟତା ଦରକାର ।

ନୀତି ଆୟୋଗ ଉପାଧ୍ୟକ୍ଷ ରାଜ୍ୟର ମୁଣ୍ଡ ପିଛା ଆୟ ବୃଦ୍ଧି, କୃଷି ଓ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଣ୍ଟକୁ ୫ ପ୍ରତିଶତରୁ କମ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି, ୨୦୧୧ରୁ ୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟର ମୁଣ୍ଡ ପିଛା ଆୟ ବଢିଛି । କୁପୋଷଣ କ୍ଷେତ୍ରରେ ଓଡିଶା ଭଲ କାମ କରିଛି । ଖଣିଜ ଉତ୍ପାଦନକୁ ୧ % ରୁ ୨ % ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏସଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟରେ ରାସାୟନିକ ମୁକ୍ତ କୃଷିକୁ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକ ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିପରି ମିଳିମିଶି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେନେଇ ଆଲୋଚନା ହୋଇଛି । ରାଜ୍ୟ ସରକାର ବହୁ ପ୍ରସଙ୍ଗ ଉଠାଇଛନ୍ତି, ଏହାର ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।