ଧନୀ ପାଉଛନ୍ତି ଶିକ୍ଷା, ପଛରେ ପଡୁଛି ଗରିବ । ମହାମାରୀ ସମୟରେ ବ୍ୟବସାୟୀଙ୍କ ହାତରେ ଶିକ୍ଷା ! ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅସମାନତା ?

124

କନକ ବ୍ୟୁରୋ : ଗୋଟିଏ ପଟେ ସରକାରୀ ସ୍ତରରେ ଅନଲାଇନ ପାଠପଢ଼ା ପ୍ରହସନରେ ପରିଣତ ହୋଇଛି । ଅନ୍ୟପଟେ ଅନଲାଇନ୍ ପ୍ଲାଟଫର୍ମରେ ଶିକ୍ଷା ବ୍ୟବସାୟୀଙ୍କୁ ଦିଆଯାଉଛି ପ୍ରୋତ୍ସାହନ । ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହୋଇଥିବା ବେଳେ ମାଲାମାଲ ହୋଇଛନ୍ତି ବାଇଜୁ ଭଳି ଶିକ୍ଷା ବ୍ୟବସାୟ କରୁଥିବା ସଂସ୍ଥା । ଏହି ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଅସମାନତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ସରକାରୀ ବ୍ୟବସ୍ଥାକୁ ଦାୟୀ କରାଯିବ ନା ବେସରକାରୀ ସଂସ୍ଥାକୁ ଫାଇଦା ପହଞ୍ଚାଇବା ପାଇଁ ନୀତି ନିର୍ଦ୍ଧାରଣ ହେଉଛି, ଏ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ କାର୍ତି ଚିଦାମ୍ବରମ ।

ମହାମାରୀ ସମୟରେ ବ୍ୟବସାୟୀଙ୍କ ହାତରେ ଶିକ୍ଷା ! ବ୍ୟବସାୟୀ ଗଢୁଛନ୍ତି ପିଲାଙ୍କ ଭବିଷ୍ୟତ ! ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅସମାନତା ? ଧନୀ ପାଉଛନ୍ତି ଶିକ୍ଷା, ପଛରେ ପଡୁଛି ଗରିବ । ରାଜ୍ୟରେ ଯେତେବେଳେ ଅନଲାଇନ ପାଠପଢ଼ାର ବିକଳ ଚିତ୍ର ସାମ୍ନାକୁ ଆସୁଛି, ସେତେବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ନିଷ୍ପତି ଚର୍ଚ୍ଚା ବଢ଼ାଇଛି । ଅନଲାଇନ୍ ଶିକ୍ଷା ଦେଉଥିବା ଅନ୍ ଏକାଡେମୀ ସଂସ୍ଥା ସହ ବିଭାଗର ଏକ ଚୁକ୍ତି ହୋଇଛି । ଏଥିରେ କୁହାଯାଇଛି ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଦିଆଯିବ । ଏକ ବେସରକାରୀ ସଂସ୍ଥା ସହ ସରକାରଙ୍କ କାହିଁକି ଏତେ ଦରଦ, ଏ ନେଇ ବିତର୍କ ଆରମ୍ଭ ହୋଇଛି ।

ମହାମାରୀ ବେଳେ ସ୍କୁଲ ବନ୍ଦ । ଏହାର ବଡ଼ ଫାଇଦା ଉଠାଇଛନ୍ତି ବାଇଜୁ, ବେଦାନ୍ତୁ ଓ ଅନଏକାଡେମୀ ଭଳି ଏଜୁକେସନ୍ ପ୍ଲାଟଫର୍ମ । ସରକାରଙ୍କ ଅନଲାଇନ ପାଠପଢ଼ା, ପିଲାଙ୍କ ପାଖରେ ପହଞ୍ଚି ପାରୁନଥିବା ବେଳେ ଶିକ୍ଷା ବ୍ୟବସାୟୀ ହେଉଛନ୍ତି ମାଲାମାଲ । ପିଲାଙ୍କ ଭବିଷ୍ୟତ ଏବେ ଶିକ୍ଷା ବ୍ୟବସାୟ କରୁଥିବା କମ୍ପାନୀ ହାତରେ । ମୋଟା ଅଙ୍କର ଫି’ ନେଉଥିବା କମ୍ପାନୀଗୁଡିକ ଯୋଗୁଁ ଲାଭବାନ ହେଉଛନ୍ତି ଅଳ୍ପ ପ୍ରତିଶତ ପିଲା । ଏହି ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଅସମାନତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ସରକାରୀ ବ୍ୟବସ୍ଥାକୁ ଦାୟୀ ନା ବେସରକାରୀ ସଂସ୍ଥାକୁ ଫାଇଦା ପହଞ୍ଚାଇବା ପାଇଁ ନୀତି ନିର୍ଦ୍ଧାରଣ ହେଉଛି, ଏ ନେଇ ଲୋକସଭାରେ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ସାଂସଦ କାର୍ତି ଚିଦାମ୍ବରମ ।

୨୦୨୧-୨୦୨୨ ଆର୍ଥିକ ବର୍ଷରେ ଶିକ୍ଷା ବଜେଟକୁ ୬ ହଜାର କୋଟି କମାଇ ଦିଆଯାଇଥିଲା । ୯୯ ହଜାର ୩୧୧ କୋଟିରୁ ୯୩ ହଜାର ୨୨୪ କୋଟିକୁ ଖସି ଆସିଥିଲା ଶିକ୍ଷା ବଜେଟ । ଯାହା ଗତ ୩ ବର୍ଷରେ ସର୍ବନିମ୍ନ । ଜାତୀୟ ଶିକ୍ଷା ନୀତି ଆଧାରରେ ଗୁଣାତ୍ମକ ଶିକ୍ଷା କଥା କୁହାଯାଉଥିବା ବେଳେ ବଜେଟରେ କାଣ୍ଟଛାଣ୍ଟ ଭିନ୍ନ ବାର୍ତା ଦେଉଥିବା ଅଭିଯୋଗ ହୋଇଛି ।

କାର୍ତି ଚିଦାମ୍ବରମ୍ ସଂସଦରେ କହିଛନ୍ତି, ଦେଶରେ ଜଣେ ଯଦି ଶିକ୍ଷା ଅନୁଷ୍ଠାନ ଆରମ୍ଭ କରିବାକୁ ଚାହିଁବ ତେବେ ତାକୁ ଅନେକ ଅନୁମତି ଆବଶ୍ୟକ । କଣ ପଢାଯିବ, କିଏ ପଢାଇବ, ସେମାନଙ୍କର ଅଭିଜ୍ଞତା କଣ ଏଭଳି ଅନେକ ଦିଗରେ ଅନୁମତି ପାଇଲେ ହିଁ ଜଣେ ଆଗକୁ ବଢିପାରିବ । ହେଲେ ଅନଲାଇନ୍ ଏଜୁକେସନ କମ୍ପାନୀ ଯାହାଙ୍କ ମୋଟ ସମ୍ପତି ଲକ୍ଷାଧିକ କୋଟି ଟଙ୍କା, ସେମାନେ ଦେଉଥିବା ଶିକ୍ଷା କେଉଁ ସରକାରୀ ବ୍ୟବସ୍ଥା ଦ୍ୱାରା ଅନୁମୋଦିତ ବୋଲି ପ୍ରଶ୍ନ ଉଠାଇଛନ୍ତି କାର୍ତି ।