ସବୁ ସୀମା ଟପିଲା ଏକଛତ୍ରବାଦ ଶାସକ କିମ ଜଙ୍ଗ ଉନଙ୍କ ବର୍ବରତା : ଉତ୍ତର କୋରିଆରେ ୨ ବର୍ଷର ଶିଶୁକୁ ଆଜୀବନ ଜେଲ୍

131

କନକ ବ୍ୟୁରୋ : ଉତ୍ତର କୋରିଆରେ ଖ୍ରୀଷ୍ଟିଆନ ଧର୍ମ ସହ ଅନ୍ୟ ଧର୍ମର ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯଦି କୌଣସି ବ୍ୟକ୍ତି ବାଇବେଲ ସହ ଧରାପଡ଼ନ୍ତି, ତେବେ ତାଙ୍କୁ ଆଜୀବନ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡ଼ିଥାଏ । ସେମିତି କିଛି ଖବର ଆସିଛି କିମ୍ ଜଙ୍ଗ ଉନଙ୍କ ଉତ୍ତର କୋରିଆରୁ । ଆମେରିକାର ବୈଦେଶିକ ବିଭାଗର ରିପୋର୍ଟରେ ଏହା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ବାଇବେଲ୍ ସହ ଧରାପଡ଼ୁଥିବା ଖ୍ରୀଷ୍ଟିଆନମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ସହ ଶିଶୁ ଓ ସେମାନଙ୍କ ପରିବାରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଉଛି । ଆମେରିକା ବୈଦେଶିକ ବିଭାଗର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନ ରିପୋର୍ଟ ୨୦୨୨ ଅନୁସାରେ, କିମ୍ ଜଙ୍ଗ ଉନଙ୍କ ଦେଶରେ ୭୦ହଜାରରୁ ଅଧିକ ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମର ଲୋକେ ଜେଲରେ ବନ୍ଦୀ ଅଛନ୍ତି । ଆଉ ଜେଲ୍ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନଙ୍କ ଭିତରେ ଜଣେ ୨ବର୍ଷର ଶିଶୁ ମଧ୍ୟ ରିପୋର୍ଟରେ ଦାବି କରାଯାଇଛି ।

ନୀରିହ ଶିଶୁଟିର ଭୁଲ ହେଉଛି ଯେ ତା’ର ବାପା-ମାଆଙ୍କ ହାତରେ ବାଇବେଲ ଥିଲା । ବାପା-ମାଆ ବାଇବେଲ ରଖୁଥିବାରୁ ୨ ବର୍ଷର ଶିଶୁ ସମେତ ପୂରା ପରିବାରକୁ ୨୦୦୯ରେ ଆଜୀବନ କାରାଦଣ୍ଡ ମିଳିଥିଲା । ସେମାନଙ୍କୁ ରାଜନୈତିକ ଜେଲ ଶିବିରରେ ରଖାଯାଇଛ । ଏହି ଶିବିରରେ ରହୁଥିବା ଖ୍ରୀଷ୍ଟିଆନମାନଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିବା ରିପୋର୍ଟରେ କୁହାଯାଇଛି । ଉତରକୋରିଆ ତା’ର ନିୟମ ଅନୁସାରେ ନିଜକୁ ନାସ୍ତିକ ରାଷ୍ଟ୍ର ବୋଲି ସ୍ୱୀକାର କରୁଛି । ତେଣୁ ସେଠାରେ ଘରେ ବାଇବେଲ ରଖିବା ବା ବାଇବେଲ ପଢ଼ିବା ବେଆଇନ ।