ଆଇପିଏଲ ମହାସମର : ଫାଇନାଲରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ହେବ ଲଢେଇ; ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ଧୋନୀ ବାହିନୀ

137

କନକ ବ୍ୟୁରୋ : ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ଧୋନୀ ବାହିନୀ । ତେବେ ମ୍ୟାଚ ବଦଳାଇ ଦେବାର କ୍ଷମତା ରଖିଥିବା ଶୁଭମନ ଗିଲ ଓ ରସିଦ୍ ଖାନ୍ ଚେନ୍ନାଇ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।

ମଜବୁତ୍‌ ପ୍ରାରମ୍ଭ ଦାୟିତ୍ବ ଋତୁରାଜ ଗାଏକ୍ବାର୍ଡ ଓ ଡେଭନ କନୱେଙ୍କ ଉପରେ ରହିଥିବା ବେଳେ ମଧ୍ୟକ୍ରମରେ ଶିବମ ଦୁବେ, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜାଙ୍କୁ ସ୍ଥିର ପ୍ରଦର୍ଶନ ବଜାୟ ରଖିବାକୁ ହେବ । ଚଳିତ ଆଇପିଏଲ୍‌ରେ ଆରମ୍ଭରୁ ଆହତ ଆଣ୍ଠୁ ସହ ପ୍ରତ୍ୟେକ ମ୍ୟାଚ୍‌ରେ ଖେଳୁଥିବା ଧୋନି ଯଦିଓ ପାଳି ଶେଷ ଆଡ଼କୁ ବ୍ୟାଟିଂ କରିବାକୁ ଆସୁଛନ୍ତି, କିନ୍ତୁ ଯେତିକି ସମୟ ବ୍ୟାଟିଂ କରୁଛନ୍ତି, ଦର୍ଶକମାନେ ସେହି ସମୟକୁ ଅଧିକ ପସନ୍ଦ କରୁଛନ୍ତି। ‌ଧୋନି ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରୁନାହାନ୍ତି ।

ଉଭୟ ଦଳଙ୍କ ମଧ୍ୟରେ ହୋଇଥିବା ଶେଷ ୪ ମ୍ୟାଚ୍‌

ଚେନ୍ନାଇ ସୁପରକିଙ୍ଗ୍ସ ୧୫ ରନ୍‌ରେ ବିଜୟୀ (୨୩ ମେ, ୨୦୨୩)
ଗୁଜରାଟ ଟାଇଟନ୍ସ ୫ ୱିକେଟ୍‌ରେ ବିଜୟୀ (୩୧ ମାର୍ଚ୍ଚ, ୨୦୨୩)
ଗୁଜରାଟ ଟାଇଟନ୍ସ ୭ ୱିକେଟ୍‌ରେ ବିଜୟୀ (୧୫ ମେ, ୨୦୨୨)
ଗୁଜରାଟ ଟାଇଟନ୍ସ ୩ ୱିକେଟ୍‌ରେ ବିଜୟୀ (୧୭ ଏପ୍ରିଲ୍‌, ୨୦୨୨)

ତାରକା ବିହୀନ ସିଏସ୍‌କେ ବୋଲିଂ କ୍ର‌ମରେ ତୁଷାର ଦେଶପ‌ାଣ୍ଡେ, ଦୀପକ ଚହର, ମହେଶ ତୀକ୍ଷ୍‌ଣା, ରବୀନ୍ଦ୍ର ଜାଦେଜା ଓ ମଥିସା ପଥିରଣାଙ୍କଠୁ ଧୋନି ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାରେ ସଫଳ ହୋଇଛନ୍ତି । ଯୁବ ବୋଲରଙ୍କ ଉପରେ ଧୋନିଙ୍କ ଭରସା ହିଁ ସିଏସ୍‌କେ ପାଇଁ ବଡ଼ ସମ୍ବଳ ହୋଇପାରିଛି । ତେଣୁ ଶୁବମନ ଗିଲ୍‌ଙ୍କୁ ରୋକିବା ପାଇଁ ଧୋନି କାହାକୁ ବ୍ୟବହାର କରିବେ ତାହା ଉପରେ ନଜର ରହିବ । ଗୁଜରାଟ ପାଇଁ ମଧ୍ୟକ୍ରମରେ ବିଜୟ ଶଙ୍କର, ରସିଦ ଖାନ୍‌ ଓ ରାହୁଲ ତିୱାତିଆ ଦ୍ରୁତ ରନ୍‌ ବାହାର କରୁଥିବାରୁ ଡେଥ୍‌ ଓଭରରେ ଧୋନିଙ୍କ ପାଖରେ ପଥିରଣା ଓ ଦେଶପାଣ୍ଡେ ବଡ଼ ବିକଳ୍ପ ରହିଛନ୍ତି ।

ତେଣୁ ପ୍ରାରମ୍ଭିକ ଓଭରଗୁଡ଼ିକରେ ରନ୍‌ ଗତି କମ୍‌ କରିବା ଦାୟିତ୍ବ ଦୀପକ ଚହରଙ୍କ ଉପରେ ଅଧିକ ରହିବ ଏବଂ ମଧ୍ୟମ ଓଭରଗୁଡ଼ିକରେ ଜାଦେଜା ଓ ତୀକ୍ଷ୍‌ଣାଙ୍କ ସହ ମୋଇନ୍‌ ଅଲ୍ଲୀ ଏହି ଦାୟିତ୍ବକୁ ଆଗେଇ ନେବେ। ତଥାପି କ୍ବାଲିଫାୟର-୧ରେ ପରାଜିତ ହୋଇଥିବା ଗୁଜରାଟ ନିଜ ଘରେ ଖେଳିବାକୁ ଯାଉଥିବା ଫାଇନାଲ୍‌ରେ ବିଜୟୀ ହୋଇ ଲଗାତାର ଦ୍ବିତୀୟ ଥର ଟ୍ରଫି ହାସଲ କରିବା ପାଇଁ ସବୁପ୍ରକାରର ଉଦ୍ୟମ କରିବ ।

ସିଏସ୍‌କେ ସମ୍ଭାବ୍ୟ ଦ୍ବାଦଶ : ଋତୁରାଜ ଗାଏକ୍ବାଡ଼୍‌, ଡେଭନ୍‌ କନୱେ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ୍ ଅଲ୍ଲୀ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷ୍‌ଣା, ମଥିସା ପଥିରଣା।

ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ଦ୍ବାଦଶ : ରିଦ୍ଧିମାନ ଶାହ, ଶୁବମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର, ବିଜୟ ଶଙ୍କର, ରାହୁଲ ତିୱାତିଆ, ରସିଦ ଖାନ୍‌, ନୂର ଅହମ୍ମଦ, ମହମ୍ମଦ ସାମି, ମୋହିତ ଶର୍ମା, ଜୋସ୍‌ ଲିଟଲ/ ଦାସୁନ ଶଣକା।