ଜ୍ୟାକଲିନଙ୍କ ବିରୋଧରେ ନୋରାଙ୍କ ମାନହାନି ମକଦ୍ଦମା । ଜାଣନ୍ତୁ, କେବେ ହେବ କୋର୍ଟରେ ଶୁଣାଣି….

131

କନକ ବ୍ୟୁରୋ: ମହାଠକ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଟଙ୍କା ଠକେଇ ମାମଲା, ଏବେ ବଲିଉଡର ଦୁଇ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭିତରେ ଯୁଦ୍ଧ ସୃଷ୍ଟି କରିଦେଇଛି । ଗତ କିଛି ଦିନ ତଳେ ଅଭିନେତ୍ରୀ ନୋରା ଫତେହି ଏହି ଘଟଣାରେ ଜ୍ୟାକଲିନଙ୍କ ନାଁରେ ମାନହାନି ମକଦ୍ଦମା କରିଥିବାବେଳେ, ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟରେ ଏହାର ଶୁଣାଣି ହେବ । ତେବେ ଏହି ମାମଲାକୁ ନେଇ ଏବେ ଆସିଛି ଏକ ବଡ ଅପଡେଟ୍ ।

ମିଳିଥିବା ସୂଚନା ମୁତାବକ, ନୋରାଙ୍କ ଅଭିଯୋଗର ଶୁଣାଣି ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ହେବ । ଏନେଇ କୋର୍ଟ ତାରିଖ ଘୋଷଣା କରିଛନ୍ତି । ତେବେ ନୋରା ଦିଲ୍ଲୀ କୋର୍ଟରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ କିଛି ଗଣମାଧ୍ୟମ ସଂସ୍ଥା ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ । ଯାହାର ଶୁଣାଣି ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ହେବ ।

ନୋରଙ୍କ ଏହି ମାମଲା ପରେ, ଦୁଇ ଅଭିନେତ୍ରୀଙ୍କ ଭିତରେ ଏବେ ସମ୍ପର୍କ କେମିତି ରହିବ ତାକୁ ନେଇ ଚର୍ଚ୍ଚା ବଢିଛି । ଏହା ପୂର୍ବରୁ ଜ୍ୟାକଲିନଙ୍କ ଓକଲି ପ୍ରଶାନ୍ତ ପାଟିଲ କହିସାରିଛନ୍ତି ଯେ, ନୋରାଙ୍କର କିଛି ଭୁଲ ବୁଝାମଣା ରହିଛି । ତେଣୁ ସେ ଏପରି କରିଛନ୍ତି । ଏଥିସହିତ ଏ ସବୁ ଅଭିଯୋଗ ମିଥ୍ୟା ବୋଲି ସେ କହିଥିଲେ । ଖାଲି ସେତିକି ନୁହେଁ ଆବଶ୍ୟକ ପଡିଲେ ନୋରାଙ୍କ ବିରୋଧରେ ମଧ୍ୟ ଜ୍ୟାକଲିନ୍ ମାନହାନି ମକଦ୍ଦମା କରିପାରନ୍ତି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡ୍ରି କେସରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୋରା ଫତେହିଙ୍କୁ ପଚରାଉଚୁରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ପଚରାଉଚୁରା ସମୟରେ ନୋରା ନିଜର ପକ୍ଷ ରଖିଥିଲେ । ହେଲେ ଏହାପରେ ସେ ଅଭିଯୋଗ କରିଥିଲେ କି, ଜ୍ୟାକଲିନ୍ ମିଡିଆ ଟ୍ରାଏଲ ସହ ତାଙ୍କ ଛବିକୁ ଖରାପ କରୁଛନ୍ତି । ନୋରା ଫତେହି, ଜ୍ୟାକଲିନଙ୍କ ବିରୋଧରେ ଏହି ଅଭିଯୋଗ ଆଣିବା ସହିତ କୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖରେ ହେବ ।