କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ପ୍ରତିଦିନ ଭାରରେ ବୁହା ହୋଉଛନ୍ତି ରୋଗୀ ଓ ଗର୍ଭବତୀ ମହିଳା । ବଣ୍ଡାଘାଟିରେ ଆଦିମ ବଣ୍ଡା ଜନଜାତିର ୩୦ହଜାର ଲୋକ ବସବାସ କରୁଥିଲେ ହେଁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଆଜି ବି ସେମାନଙ୍କ ପାଇଁ ସାତସପନ । ସ୍ୱାସ୍ଥ୍ୟସେବା ପାଇଁ ନଇ, ନାଳ, ପାହାଡ ଅତିିକ୍ରମ କରିବାକୁ ବାଧ୍ୟ ହୋଉଛନ୍ତି ବଣ୍ଡା ଘାଟିର ଲୋକେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୩ ତାରିଖର ମଦୁଲିପଡା ପଂଚାୟତ ବଡପଡା ଗାଁର ଷଷ୍ଠଶ୍ରେଣୀ ଛାତ୍ରୀ ଝୁମକି ଶିଶା ହଠାତ ଅସୁ୍ସ୍ଥ ହୋଇପଡି ଥିଲେ । ଅସୁସ୍ଥ ଝୁମକିକୁ ଭାରରେ ୪ କିଲୋମିଟର ବୁହାହୋଇ ମୁଦୁଲିପଡା ସ୍ୱାସ୍ଥକେନ୍ଦ୍ରକୁ ପହଁଚିଥିଲେ । ୧୯ଜାନୁଆରି ଅଣ୍ଡ୍ରାହାଲ ପଂଚାୟତ ଗୋଇଗୁଡା ଗାଁର ସମ୍ବାରୀ ବଡନାୟକଙ୍କ ପେଟରେ ପାଣି ଜମା ହୋଇଥିଲେ । ମେଡ଼ିକାଲ ଯିବାକୁ ସୁବିଧା ନଥିବାରୁ ଭାଗ୍ୟକୁ ଆଦରି ପଡିରହିଥିଲେ ସମ୍ବାରୀ । କିଛି ସମ୍ବାଦିକ ସମ୍ବାରୀଙ୍କୁ ଟୋକେଇରେ ବୋହିଆଣି ମଦୁଲିପଡା ସ୍ୱାସ୍ଥକେନ୍ଦ୍ରରେ ପହଁଚାଇଥିଲେ ।
ସେହିପରି ଗତ ଡିସେମ୍ବର ୧୯ତାରିଖରେ ଗୋଇଗୁଡା ଗାଁର ଜଣେ ମହିଳା ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ଭାରରେ ବୋହି ପ୍ରଥମେ ମୁଦୁଲିପଡା ସ୍ୱାସ୍ଥକେନ୍ଦ୍ରରେ ପହଞ୍ଚାଯାଇଥିଲା । ଏବଂ ସେଠାରେ ମଧ୍ୟ ଆମ୍ବୁଲାନ୍ସ ନପାଇ ୧୪ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି ଖଇରପୁଟ ପହଁଚିଥିଲେ । କାରଣ ପୁରା ବଣ୍ଡାଘାଟିରେ ରାସ୍ତାଘାଟରେ ଉନ୍ନତି ଆସିଥିଲେ ହେଁ ଏଯାଏଁ ମୋବାଇଲ ସେବା ପହଁଚି ପାରିନାହିଁ । କେବଳ ମଦୁଲୁପଡା ସଦର ମହକୁମା ଠାରେ ବି.ଏସ.ଏନ.ଏଲ ମୋବାଇଲ ସେବା ରହିଥିଲେ ହେଁ ବଣ୍ଡା ଘାଟିର ନାଁ ଶୁଣିଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ସେଠାରେ ଯିବାକୁ ନାରାଜ ।
ବଣ୍ଡାଘାଟିର ଦୁଇଟି ପଂଚାୟତରେ ବସବାସ କରୁଥିବା ୩୦୦୦୦ ଲୋକଙ୍କ ପାଇଁ ମାତ୍ର ଗୋଟିଏ ସ୍ୱାସ୍ଥକେନ୍ଦ୍ର । ତେବେ ତାହା କିନ୍ତୁ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ପରିଚାଳିତ । ମୁଦୁଲିପଡା ଠାରୁ ଖଇରପୁଟକୁ ରୋଗୀ ବୁହାହେବା ପାଇଁ ପୂର୍ବରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦେଇଥିଲା ଜିଲ୍ଲା ପ୍ରଶାସନ । ତେବେ ତାହା କିନ୍ତୁ ଗତ ୬ମାସ ଧରି ଖରାପ ପଡିଛି । ତେବେ ସ୍ଥାନୀୟ ସି.ଡି.ଏମ.ଓ ନିଜ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଖରାପ ରାସ୍ତାକୁ ଏଥିପାଇଁ ଦାୟୀ କରିଛନ୍ତି ।
୩୨ଟି ଗାଁରେ ବସବାସ କରୁଥିବା ଆଦିମ ବଣ୍ଡା ଜନଜାତୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ଜୀବନଧାରାରେ ଉନ୍ନତି ଆଣିବା ଲାଗି ସ୍ୱତନ୍ତ୍ର ବଣ୍ଡା ଉନ୍ନୟନ ସଂସ୍ଥା ପରି ବିଭିନ୍ନ ଏଜେନ୍ସି କାମ କରୁଛି । ତଥାପି ଶିକ୍ଷା, ସ୍ୱାସ୍ଥ, ପାନୀୟଜଳ ଆଜିବି ଏମାନଙ୍କ ସାତ ସପନ ।