ଏହି ୧୪ଟି ସାମଗ୍ରୀକୁ ଖୋଲା ବିକିଲେ ଲାଗିବନି ଜିଏସଟି । ଟୁଇଟ୍ କରି ଲିଷ୍ଟ ଜାରି କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

2,967

କନକ ବ୍ୟୁରୋ: ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ନେଇ ରାଜନୀତି ତେଜିବାରେ ଲାଗିଛି । ବିରୋଧୀ ଦଳ ଏହାକୁ ନେଇ ଲଗାତାର ସରକାର ଉପରେ ଆକ୍ରମଣ ଜାରି ରଖିଥିବାବେଳେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟୁଇଟ୍ ସେୟାର କରିଛନ୍ତି । ଏହି ଟୁଇଟରେ ସେ ଏକ ଲିଷ୍ଟ ସେୟାର କରିବା ସହିତ ୧୪ଟି ଖାଦ୍ୟ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ଜିଏସଟି ଲାଗୁ ହେବନାହିଁ ବୋଲି ସୂଚନା ଦେଇଛନ୍ତି ।

ଏହି ଲିଷ୍ଟରେ ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଯାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସେୟାର କରି କହିଛନ୍ତି ଯେ, ଏହି ସବୁ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ ।

ସୂଚନାଯୋଗ୍ୟ ଯେ, ୪୭ ତମ ଜିଏସଟି ପରିଷଦ ବୈଠକରେ ଚଳିତ ଥର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଯାହା ଫଳରେ କିଛି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀକୁ ପ୍ୟାକେଟ୍ କରିି ବିକିଲେ ଏହା ଉପରେ ୫ ପ୍ରତିଶତ ଜିଏସଟି ଶୁଳ୍କ ଲାଗିବ ବୋଲି ଘୋଷଣା କରାଯାଇଥିଲା । ତେବେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ରାଜନୀତି ମଧ୍ୟ ଜୋର ଧରିଥିଲା । ବିରୋଧୀ ମାନେ ମଧ୍ୟ ସରକାରର ଏପରି ନିଷ୍ପତ୍ତିକୁ ନିନ୍ଦା କରିଥିଲେ ।

ଏହାକୁ ଜବାବ ଦେବାକୁ ଯାଇ ନିର୍ମଳା କହିଛନ୍ତି,”କଣ ପ୍ରଥମ ଥର ଖାଦ୍ୟ ପଦାର୍ଥ ଉପରେ ଏପରି କର ଲଗାଯାଉଛି? ନା, ରାଜ୍ୟ ସରକାର ଜିଏସଟି ନିୟମ ପୂର୍ବରୁ ଖାଦ୍ୟ ପଦାର୍ଥରୁ ଅଧକ ରାଜସ୍ୱ ଆଦାୟ କରୁଥିଲେ । କେବଳ ପଞ୍ଜାବ କ୍ରୟକର ବାବଦକୁ ଖାଦ୍ୟ ପଦାର୍ଥରୁ ୨ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରୁଥିଲେ । ୟୁପିରେ ମଧ୍ୟ ଏହା ୭ ଶହ କୋଟି ଥିଲା ।”