ସ୍ମୃତି ଇରାନୀଙ୍କ ଅଭିଯୋଗ : ଭାଷଣ ପରେ ସଂସଦରେ ମହିଳାଙ୍କ ପ୍ରତି ଖରାପ ଇଶାରା କରିଛନ୍ତି ରାହୁଲ ଗାନ୍ଧୀ

300

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାରଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ରାହୁଲ ଗାନ୍ଧୀ ସଂସଦରେ ନିଜ ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଫ୍ଲାଇଙ୍ଗ୍ କିସ୍ ଭଳି ଇଶାରା ଦେଇଥିଲେ ।

ଲୋକସଭାରେ କହିବା ବେଳେ କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି , ଲୋକସଭା ଭଳି ମର୍ଯ୍ୟାଦାଜନକ ସ୍ଥାନରେ ରାହୁଲ ଗାନ୍ଧୀ ଅସଭ୍ୟତାର ପରିଚୟ ଦେଇଛନ୍ତି । ସେ ତାଙ୍କ ଭାଷଣ ସମାପ୍ତ କରିବା ପରେ ଅଭଦ୍ର ବ୍ୟବହାର କରିଥିବା କଥା ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ।

ସ୍ମୃତି ଇରାନୀ କହିଛନ୍ତି କି, ରାହୁଲ ଗାନ୍ଧୀ ସେହି ସଂସଦରେ ଏଭଳି ଅସଭ୍ୟ ଆଚରଣ କରିଛନ୍ତି ଯେଉଁଠାରେ ମହିଳା ସାଂସଦମାନେ ଉପସ୍ଥିତ ଥିଲେ । ଏଭଳି ଗାରିମା ବିହୀନ ଆଚରଣ ସେ କେବେ ସଂସଦରେ ଦେଖିନାହାଁନ୍ତି । ଏହା ରାହୁଲଙ୍କ ବଂଶର ପରିଚୟ ଓ ଯାହା ଆଜି ସାରାଦେଶ ଜାଣିବାକୁ ପାଇଲା ବୋଲି ସ୍ମୃତି ଇରାନୀ କହିଛନ୍ତି ।

ଲୋକସଭା ରେ କଥିତ ରୁପେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ୍ ଦେବା ମାମଲାରେ ବିଜେପି ମହିଳା ସାଂସଦମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବାଚସ୍ପତିଙ୍କ ନିକଟରେ ଦାବି ରଖିଛନ୍ତି । ବିଜେପି ମହିଳା ସାଂସଦମାନେ କହିଛନ୍ତି କି, ସେମାନେ ସଂସଦରେ ଏଭଳି ଖରାପ ଆଚରଣ କେବେ ଦେଖିନାହାଁନ୍ତି ।