ସଂପ୍ରସାରିତ ହେଲା କାଳିଆ ଯୋଜନା: ବାଦପଡିବେନି ଯୋଗ୍ୟ ହିତାଧିକାରୀ, ୫ଲକ୍ଷ ଭୂମିହୀନଙ୍କୁ ବି ମିଳିବ ଆର୍ଥିକ ସହାୟତା
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
କନକ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି କ୍ୟାବିନେଟରେ ଗୋଟିଏ କି ଦୁଇଟି ନୁହେଁ, ପୂରା ୧୬ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ଗତକାଲିର ବୈଠକରେ ଗାଁ ଠୁ ସହର, ଶିକ୍ଷା ଠାରୁ ସ୍ବାସ୍ଥ୍ୟ, ପାନୀୟ ଜଳ, ହସ୍ତଶିଳ୍ପ କାରିଗରଙ୍କ ଠାରୁ ଆରମ୍ଭ କରି ସଚିବାଳୟ କର୍ମଚାରୀ, ଚାଷୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଖୁସି କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ବଡ଼ କଥା ହେଲା, କାଳିଆ ଯୋଜନାକୁ ଗତକାଲି ପୁଣି ସଂପ୍ରସାରିତ କରାଯାଇଛି। ଗୋଟିଏ ପଟେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ପାଇବାରୁ ବଞ୍ଚିତ କରାଯିବ ନାହିଁ, ତେଣିକି ସଂଖ୍ୟା ଯାହା ବି ହେଉ। ଅନ୍ୟପଟରେ ଭୂମିହୀନ ଚାଷୀ ପରିବାର ସଂଖ୍ୟାକୁ ୧ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟଶାସନ ସଚିବ କହିଥିଲେ, ଚାଷୀଙ୍କ ଜୀବିକା ଓ ଆୟବୃଦ୍ଧି ନିମିତ୍ତ କୃଷକଙ୍କୁ ସହାୟତା (କାଳିଆ) ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୧୩.୦୩ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କର ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ଲେଖାଏଁ ଦିଆଯାଇଛି।
ଏ ସଂକ୍ରାନ୍ତ ୱେବସାଇଟକୁ ୧ କୋଟି ଲୋକ ଦେଖିଛନ୍ତି। ୬୭ଲକ୍ଷ ଆବେଦନ କରିଛନ୍ତି ଓ ୮ଲକ୍ଷ ଚାଷୀ କାଳିଆ ବାର୍ତାରେ ଯୋଗାଯୋଗ କରିଛନ୍ତି। ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ, ୧ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଜୀବନ ଜୀବିକା ପ୍ରଦାନ କରିବାକୁ ୧୨ ହଜାର ୫୦୦ ଟଙ୍କା ଦିଆଯିବ। ଏଥିରେ ସେମାନେ ରୋଜଗାର ବାଟ ଖୋଲିବେ। କିନ୍ତୁ ଗତକାଲି ସ୍ଥିର ହୋଇଛି, ଏହି ସଂଖ୍ୟାକୁ ୫ଲକ୍ଷକୁ ବୃଦ୍ଧି କରାଯିବ। ୧୨ ହଜାର ୫୦୦ ଟଙ୍କା ମଧ୍ୟରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ସେମାନଙ୍କୁ ଦିଆଯିବ ଓ ବାକି ଅର୍ଥରାଶି ଦୁଇଟି କିସ୍ତିରେ ଚାଷୀ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଖରିଫ ଫସଲ ସହାୟତା ଚାଷୀଙ୍କୁ ଅକ୍ଷୟ ତୃତୀୟା ଦିନ ଓ ରବି ଫସଲ ସହାୟତା ନୂଆଖାଇ ଦିନ ପ୍ରଦାନ କରାଯିବ। ତେବେ ଚଳିତବର୍ଷ ଏ ବାବଦରେ ୧୬୬୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଯେଉଁ ଅଟକଳ କରାଯାଇଥିଲା, ସେଥିରେ କୌଣସି ବୃଦ୍ଧି ଘଟିବ ନାହିଁ।
ଲକ୍ଷେ ନୁେହଁ ପାଞ୍ଚଲକ୍ଷ ଭୂମିହୀନ ଚାଷୀଙ୍କୁ ବି ସହାୟତା, ପ୍ରଥମ କିସ୍ତିରେ ମିଳିବ ୫ ହଜାର