ହାତ ସାଜିଲା ଭାର, ବାହକ ସାଜିଲେ ସଂପର୍କୀୟ : ପ୍ରସୂତୀ ବେଦନା ଭିତରେ ହସ୍ପିଟାଲରେ ପହଂଚିବା ପାଇଁ ୩ କିଲୋମିଟର ବୁହାହେଲେ ମହିଳା

47

କନକ ବ୍ୟୁରୋ : ଜଣେ ପ୍ରସୂତୀ ମହିଳାଙ୍କ ଘରୁ ହସ୍ପିଟାଲକୁ ଯାତ୍ରା । ନା’ ଆମ୍ବୁଲାନ୍ସ ଥିଲା, ନା ଜନନୀ ସୁରକ୍ଷା ଗାଡ଼ି । ଭଡାଟିଆ ଗାଡ଼ି ପାଖକୁ ପହଂଚିବା ପାଇଁ ବୁହା ହୋଇଗଲେ ୩ କିଲୋମିଟର ରାସ୍ତା । ହାତକୁ ଭାର କରି ସଂପର୍କୀୟ ଟେକି ନେଇଗଲେ ଭଡ଼ା ଗାଡ଼ି ପାଖକୁ । ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଜଣେ ପ୍ରସୂତୀ ମହିଳାଙ୍କର ଏହି ତିକ୍ତ ଅନୁଭୂତିର ଚିତ୍ର କଏଦ୍ ହୋଇଥିଲା କନକ ନ୍ୟୁଜ୍ କ୍ୟାମେରାରେ ।

ପ୍ରସବ ବେଦନାରେ ଛଟପଟ୍ ହେଉଥିବା ଜଣେ ମହିଳାଙ୍କୁ ହସ୍ପିଟାଲରେ ପହଂଚିବା ପାଇଁ କରିବାକୁ ପଡିଛି ସଂଘର୍ଷ । ନା’ ଆମ୍ବୁଲାନ୍ସ ପହଂଚିଲା, ନା ଜନନୀ ସୁରକ୍ଷା ଗାଡ଼ି । ପ୍ରତୀକ୍ଷାର ଅନ୍ତ ହେବା ପରେ ସଂପର୍କୀୟ ସାଜିଗଲେ ବାହକ । ହାତକୁ ଭାର କରି ଆରମ୍ଭ କରିଦେଲେ ପଦଯାତ୍ରା । ପ୍ରସୂତୀ ମହିଳାଙ୍କୁ ବୋହି ବୋହି ୩ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଯୋଗାଡ଼ ହେଲା ଏକ ଗାଡ଼ି । ଆଉ ଶେଷରେ ପ୍ରସୂତି ମହିଳା ପହଂଚିଥିଲେ ଉମରକୋର୍ଟ ହସ୍ପିଟାଲ ।

ସ୍ୱାଭାବିକ୍ ଭାବରେ ଏମିତି କିଛି ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ପୁରା କାହାଣୀଟି ଥିଲା ଠିକ୍ ଏହିଭଳି । ନବରଙ୍ଗପୁର ଜିଲ୍ଲା ରାମପରା ଗାଁର ଜଗନ୍ନାଥ ଗଣ୍ଡଙ୍କ ପତ୍ନୀ ଡମଣୀ ଗଣ୍ଡଙ୍କ ପ୍ରସବ ବେଦନା ହେବାରୁ, ଡାକ୍ତରଖାନାକୁ ପହଂଚାଇବା ପାଇଁ ଖୋଜା ପଡ଼ିଲା ଜନନୀ ସୁରକ୍ଷା ଗାଡ଼ି ଏବଂ ଆମ୍ବୁଲାନ୍ସ । ହେଲେ ଆମ୍ବୁଲାନ୍ସ ବ୍ୟସ୍ତ ଥିବା ବେଳେ ପହଂଚିପାରିଲାନି ଜନନୀ ସୁରକ୍ଷା ଗାଡ଼ି ।

ଆଉ ଏସବୁ ତିକ୍ତ ଅନୁଭୂତି ଭିତରେ ଖୁସି ଖବର ହେଉଛି- ଉମରକୋର୍ଟ ହସ୍ପିଟାଲରେ ଡମଣୀ ଗଣ୍ଡ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ଆଉ ଏବେ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି । ଜନ୍ମରୁ ମୃତ୍ୟୁ ଯାଏଁ ସରକାର ଯୋଜନାର ପସରା ମେଲି ବସିଛନ୍ତି । ଆଉ ଏହି ସବୁ ଯୋଜନାର ପ୍ରଚାର କରି ବାଃବାଃ ନେଉଛନ୍ତି । ହେଲେ ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ଏହି ଘଟଣା ସରକାରୀ ଯୋଜନାର ସଫଳ ରୂପାୟନର କଥା ବୟାନ କରୁଛି ।