ଠାକୁରଙ୍କୁ ଠକିଦେଲେ :ନବକଳେବର ପାଇଁ ପୁରୀର ସମଯାଜପୁରରେ ତିଆରି ହୋଇଥିବା ରେଲୱେ ଓଭରବ୍ରିଜ୍ ଭୁଶୁଡି ପଡିବାର ଆଶଂକା

28

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଠାକୁରଙ୍କୁ ଠକିଦେଲେ । ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବରରେ ଯେଉଁ ଭିତିଭୂମି ନିର୍ମାଣ କରାଯାଇଛି ଏବେ ସେସବୁ ଉପରେ ବଡ ପ୍ରଶ୍ନ ଚିହ୍ନ ଲାଗିଯାଇଛି । ନବକଳେବର ପାଇଁ ପୁରୀର ସମଯାଜପୁରରେ ତିଆରି ହୋଇଥିବା ରେଲୱେ ଓଭରବ୍ରିଜ୍ ଭୁଶୁଡି ପଡିବାର ଆଶଂକା ରହିଛି । ଜାତୀୟ ରାଜପଥ ପ୍ରାଧିକରଣ ପୁରୀ ପ୍ରଶାସନକୁ ଲେଖି ଜଣାଇଛି, ତୁରନ୍ତ ଏହି ଓଭରବ୍ରିଜ ଉପରେ ଭାରିଯାନ ଚଳାଚଳ ବନ୍ଦ କରାଯିବା ଦରକାର । ଏଥିରୁ ଅନୁମାନ କରିହେବ ଯେ ନବକଳେବର ସମୟରେ ତିଆରି ହୋଇଥିବା କାମ ଗୁଡିକ, କେଉଁ ମାନର ।

ମହାପ୍ରଭୁଙ୍କ ନାଁରେ ଲୁଟିଦେଲେ । କାମ ନାଁରେ ବୁଲାଇଦେଲେ କଳାକନା । କୋଟି କୋଟି ଟଙ୍କାର ହେଲା ଘୋଟାଲା ଓ ହରିଲୁଟ । ଏସବୁର ପ୍ରତୀକ ସାଜିଛି ସମଯାଜପୁର ରେଳସେତୁ । ନିର୍ମାଣର ବର୍ଷକ ଭିତରେ ଦୁର୍ଦ୍ଦିନ ଅବସ୍ଥା । ଚାରିଆଡେ ଫାଟ, ଦବିଗଲାଣି ରାସ୍ତା । ପ୍ରତି ପାହୁଣ୍ଡରେ ବିପଦ । ସ୍ଥିତିର ଭୟାବହତାକୁ ଆକଳନ କରି ଏନଏଚଏଆଇ କର୍ତୃପକ୍ଷ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ଚେତା ପଶିଛି । କାଳେ କିଛି ଅଘଟଣ ଘଟିଯିବ ଆଉ ଅପାରଗତା ପଦାରେ ପଡିବ, ତା ପୂର୍ବରୁ ମରାମତି ପାଇଁ ଅଂଟା ଭିଡିଛି ପ୍ରଶାସନ । ୩୦ ତାରିଖ ଭିତରେ କାମ ସାରିବାକୁ ଟାର୍ଗେଟ । ଏହି ସମୟରେ ବ୍ରିଜ ଉପରେ ଭାରୀ ଯାନ ଯାତାୟତ କରିବ ନାହିଁ ।

ସମଯାଜପୁର ରେଳ ଓଭରବ୍ରିଜ ପ୍ରତି ରହିଛି ସାଂଘାତିକ ବିପଦ । ସଂଯୋଗକାରୀ ରାସ୍ତା ଦବିବାରେ ଲାଗିଛି । ସ୍ଥିତି ଏମିତି ଯେ କେତେବେଳେ ବି ଭୁଶୁଡିଯିବ । ୧୧ ଶହ ମିଟର ସମଯାଜପୁର ରେଳ ଓଭର ବ୍ରିଜକୁ ରହିଛି ତିନି କିମି ସଂଯୋଗକାରୀ ରାସ୍ତା । ୬୨ କିମି ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥରେ ସମଯାଜପୁର ରେଳ ଓଭର ବ୍ରିଜ ଯାତାୟତର ମୁଖ୍ୟ ଆଧାର । ନିର୍ମାଣରେ ଖର୍ଚ୍ଚ ହୋଇଛି ପାଖାପାଖି ୫୫୦ କୋଟି । ଆଉ ନିର୍ମାଣରେ ନିମ୍ନମାନର କାମ ପାଇଁ ବ୍ରିଜ ଭୁଶୁଡିବାକୁ ବସିଲାଣି ।
ପ୍ରଶ୍ନ ଉଠୁଛି, ଅବ୍ୟବସ୍ଥା ଓ ବିବାଦ ପାଇଁ ଦାୟୀ କିଏ । ନବକଳେବର ବେଳେ କ୍ୟାବିନେଟ ପାହ୍ୟା ଦେଇ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ବନା ଯାଇଥିଲା ଭିତିଭୁମି ତଦାରଖ କମିଟି ଅଧ୍ୟକ୍ଷ । କଣ ନବୀନ ମହେଶ୍ୱରଙ୍କୁ ନାଲିବତୀ ଦେଇଥିଲେ କେବଳ ସନ୍ତୁଷ୍ଟ କରିବା ପାଇଁ? କାମ କରିବା ବଦଳରେ ମହେଶ୍ୱର କଣ ଭିଆଇପିରାଜର ପ୍ରତୀକ ସାଜିଥିଲେ? ବର୍ଷକ ଭିତରେ ଯଦି ବ୍ରିଜ ଦବିଲା, ତା’ହେଲେ କଣ ତଦାରଖ କରୁଥିଲେ ମହେଶ୍ୱର? ମହେଶ୍ୱର ମହାନ୍ତିଙ୍କ କାର୍ଯ୍ୟଦକ୍ଷତା ଆସିଛି ସନ୍ଦେହ ଘେରକୁ । ଏହାରି ଭିତରେ କିନ୍ତୁ ବ୍ରିଜ ନିର୍ମାଣ କରିଥିବା ରାଜ୍ୟ ସରକାର ସନ୍ଦେହ ମୁକ୍ତ ନୁହଁନ୍ତି ।