ଏକତରଫା ପ୍ରେମର କରୁଣ ପରିଣତି । ୧୨ ବର୍ଷର ନାବାଳିକାକୁ ତଣ୍ଟିକାଟି ହତ୍ୟା କଲା ଦୁର୍ବୃତ

316

କନକ ବ୍ୟୁରୋ : ଏକତରଫା ପ୍ରେମର କରୁଣ ପରିଣତି । ୧୨ ବର୍ଷର ନାବାଳିକାକୁ ତଣ୍ଟିକାଟି ହତ୍ୟା କରିଛି ପ୍ରେମିକ । ଦିନ ଦ୍ୱିପ୍ରହରରେ ଅନୁଗୁଳ ସହରରେ ଏଭଳି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ହତବାକ କରିଛି । ମୃତ ନାବାଳିକା ହେଉଛନ୍ତି ଭାଗିରଥି ସାହୁଙ୍କ ଝିଅ ଖୁସୀ । ଆଜି ନାବାଳିକା ତାଙ୍କ ମାଆଙ୍କ ସହ ଘରେ ଥିଲେ । ହଠାତ୍ ଦୁର୍ବୃତ ଜଣଙ୍କ ଜୋର ଜବରଦସ୍ତ ତାଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲା । ଝିଅର ମାଆ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଦର୍ବୃତ ଜଣଙ୍କ ତାକୁ ଧକ୍କା ମାରି ଘରେ ପଶିବା ସହ ନାବାଳିକାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖୁସୀର ବେକକୁ ବାରମ୍ବାର ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ ।

ପରେ ପରିବାର ଲୋକେ ଖୁସୀଙ୍କୁ ମେଡିକାଲ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏକତରଫା ପ୍ରେମରୁ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରଯାଉଛି । ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି । ଝିଅର ମୃତ୍ୟୁରେ ସମ୍ପୁର୍ଣ୍ଣ ଭାଙ୍ଗିପଡିଛନ୍ତି ବାପା ଭାଗିରଥୀ । ମ୍ରିୟମାଣ ହୋଇ କହିଛନ୍ତି, ତାଙ୍କ ଜୀବନରେ ‘ଖୁସୀ’ ପାଇଁ ଖୁସି ଆସିଥିଲା । ଝିଅ ତାଙ୍କ ଜୀବନ ଥିଲା । ଆଇନକାନୁନ ବିଚାର ପ୍ରକ୍ରିୟାକୁ ଅପେକ୍ଷା କରିବା ପାଇଁ ତାଙ୍କର ଧର୍ଯ୍ୟ ନାହିଁ । ନିଜ ହାତରେ ପ୍ରତିଶୋଧ ନେବା ପାଇଁ ସେ ଚାହୁଁଛନ୍ତି ।