ଲଗାତର ଚତୁର୍ଥ ଦିନରେ କମିଲା ମୁମ୍ବାଇର ସଂକ୍ରମଣ : ଦିଲ୍ଲୀ ଓ କେରଳରେ ସ୍ଥିତି ଚିନ୍ତାଜନକ

ସଂଖ୍ୟା ବଢିବାରୁ କର୍ଣ୍ଣାଟକକୁ ଫେରିଲା ନୂଆ କଟକଣା; ଦିଲ୍ଲୀରେ ବନ୍ଦ ହେଲା ବେସରକାରୀ କାର୍ଯ୍ୟାଳୟ, ଘରୁ କାମ କରିବାକୁ ଦିଆଗଲା ନିର୍ଦ୍ଦେଶ 

149

କନକ ବ୍ୟୁରୋ : ଦେଶର ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ମୁମ୍ବାଇ ସହରରେ ଲଗାତାର ଚତୁର୍ଥ ଦିନ ପାଇଁ ଦୈନିକ ସଂକ୍ରମଣ କମିଛି । ଗତ ୨୪ ଘଂଟାରେ ମୁମ୍ବାଇରେ ୧୧ ହଜାର ୬୪୭ ନୂଆ ମାମଲା ଚିହ୍ନଟ ହୋଇଛି । ସୋମବାର ମୁମ୍ବାଇରେ ୧୩ ହଜାର ୬୪୮ଜଣ ଆକ୍ରାନ୍ତ, ରବିବାର ୧୯ ହଜାର ୪୭୪ ମାମଲା ଚିହ୍ନଟ ହୋଇଥିଲା । ସେହିପରି ଗତ ଶନିବାର ଚିହ୍ନଟ ହୋଇଥିଲେ ୨୦ ହଜାର ୯୭୧ ପଜିଟିଭି । ଲଗାତାର ୪ ଦିନ ହେଲା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ହାର ମଧ୍ୟ ୧୯ ପ୍ରତିଶତକୁ ଖସି ଆସିଛି, ଯାହା ପୂର୍ବରୁ ୨୩ ପ୍ରତିଶତ ରହିଥିଲା ।

ସେପଟେ ଦିଲ୍ଲୀ ଓ କେରଳରେ ସ୍ଥିତି ଚିନ୍ତାଜନକ ରହିଛି । କେରଳରେ ଗତ ୨୪ ଘଂଟାରେ ୯ ହଜାର ୬୬ ନୂଆ ମାମଲା ଚିହ୍ନଟ ହୋଇଛି । ସେପଟେ ଦିଲ୍ଲୀରେ ଦିନକରେ ୨୧ ହଜାର ୨୫୯ ପଜିଟିଭ ମାମଲା ଆସିବା ଚିନ୍ତା ବଢାଇ ଦେଇଛି । ସଂକ୍ରମଣକୁ ଆଖିରେ ରଖି କେଜ୍ରିଓକ୍ୱାଲ ସରକାର ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଘରୋଇ କାର୍ଯ୍ୟାଳୟ ଅତ୍ୟାବଶ୍ୟକ ସେବା ଯୋଗାଉ ନାହାନ୍ତି ସେହି ଅଫିସ ବନ୍ଦ କରିବାକୁ କହିଛନ୍ତି ଦିଲ୍ଲୀ ସରକାର । ଘରୋଇ ଅଫିସର କର୍ମଚାରୀ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ କର୍ଣ୍ଣାଟକରେ କରୋନା ମାମଲା ବଢିବା ପରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଧାର୍ମିକ ଓ ରାଜନୈତିକ ସମାବେଶ, ରାଲି, ଧାରଣା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ବିବାହରେ କେବଳ ଶହେ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଛି । ଖୋଲା ସ୍ଥାନରେ ବିବାହ ଆୟୋଜନ ହେଉଥିଲେ ୨ଶହ ଲୋକଙ୍କୁ ଯୋଗ ଦେବା ଅନୁମତି ଦେଇଛନ୍ତି କର୍ଣ୍ଣାଟକ ସରକାର ।