ମୁମ୍ବାଇର ୩ ଟି ରେଳ ଷ୍ଟେସନ ଓ ଅମିତାଭ ବଚ୍ଚନଙ୍କ ଘର ଉଡାଇ ଦେବାକୁ ଫୋନ ମାଧ୍ୟମରେ ଧମକ ମାମଲା , ୨ ଜଣଙ୍କୁ ଅଟକ ରଖିଛି କ୍ରାଇମ ବ୍ରାଞ୍ଚ

144

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ପୋଲିସ ନିକଟକୁ ଆସିଥିବା ଏକ ଫୋନ କଲ ଏବେ ପୁରା ମୁମ୍ବାଇ ସହରବାସୀଙ୍କୁ ଭୟଭିତ କରିଛି । ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ଅଜ୍ଞାତ ବ୍ୟକ୍ତି ପୋଲିସକୁ ଧମକ ଦେଇ କହିଥିଲା କି ମୁମ୍ବାଇର ୪ ଟି ସ୍ଥାନରେ ବୋମା ରଖାଯାଇଛି । ଯାହା ମଧ୍ୟରେ ମୁମ୍ବାଇର ୩ ଟି ରେଳ ଷ୍ଟେସନ ଓ ଅଭିନେତା ଅମିତାଭ ବଚ୍ଚନଙ୍କର ଏକ ଘର ରହିଛି । ଏଭଳି ଫୋନ କଲ ପାଇବା ପରେ ପୋଲିସ ପକ୍ଷରୁ ଏହି ୪ ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ହେଲେ ଏନେଇ ପୋଲିିିସ ଯାଂଚ କରିବା ପରେ ଏହି ଫୋନ କଲ ନକଲି ଥିବା ପୋଲିସ ସୂଚନା ପାଇଛି ।

ଏହାପରେ ଫୋନକଲକୁ ଟ୍ରାକିଂ କରି ମୁମ୍ବାଇ କ୍ରାଇମବ୍ରାଞ୍ଚର ସିଆଇୟୁ (କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ) ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଏପଟେ ଜଣେ ପୋଲିସ ଅଧିକାରୀ କହିଛନ୍ତି କି ଫୋନ କଲ ପାଇବା ପରେ ରାଜକୀୟ ରେଲୱେ ପୋଲିସ, ରେଲୱେ ସୁରକ୍ଷା ବଳ ସହ ବୋମା ନିରୋଧକ ଟିମ ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ହେଲେ ସେହି ସ୍ଥାନରୁ କିଛି ସୁରାଗ ମିଳି ନଥିଲା ।