କୁନିପୁଅର ରେକର୍ଡ : ୩ ବର୍ଷରେ ୩ ଖନ୍ଦା ପଣିକିଆ, ୨୩ ମିନିଟରେ ପଢିଲେ ୨୭ ବହି

94

କନକ ବ୍ୟୁରୋ : ତିନି ବର୍ଷରେ ୩ ଖନ୍ଦା ପଣିକିଆ । ୨୩ ମିନିଟରେ ପଢିିଦେଲେ ୨୭ଟି ବହି । ଯେଉଁ ବୟସରେ କଥା କହିଲେ ପାଟି ଖନିବାଜେ ସେ ବୟସରେ କୁନି ପୁଅ କିନ୍ତୁ ଅନର୍ଗଳ କହିଯାଉଛି ଦେଶ, ଦୁନିଆଁର କଥା । ମୁହଁରେ ମୁହଁରେ ଦେଶ, ରାଜ୍ୟ, ରାଜଧାନୀ, ନେତା, ମନ୍ତ୍ରୀ, ଗଣିତ ,ଭୂଗୋଳ ସବୁକିଛି । ମୁଣ୍ଡ ନୁହେଁ ତ କମ୍ପ୍ୟୁଟର । କୁନି ପୁଅର ଏପରି ଧି ଶକ୍ତି ଦେଖି ସମସ୍ତେ ହତବାକ୍ ।ଏ ହେଉଛନ୍ତିି ଲୁଧିଆନା ବାସିନ୍ଦା କୁଅଁର ପ୍ରତାପ ସିଂଙ୍କ କଥା । ସତରେ କୁଅଁର ଈଶ୍ୱରଙ୍କ ଏକ ନିଆରା ସୃଷ୍ଟି । ଏଭଳି ଉପହାରକୁ ପାଇ ବାପା ମା ଈଶ୍ୱରଙ୍କ ନିକଟରେ ସତତ କୃତଜ୍ଞ । ପୁଅର ରୁଚିକୁ ଦେଖି ବାପା ମା ବି ହତବାକ୍ । ଭାରି ଯତ୍ନର ସହ ପୁଅକୁ ବାଟେଇ ନେଉଛନ୍ତି ବାପା ମା।

ଯେଉଁ ବୟସରେ ପିଲାଏ ଖେଳିବାକୁ ବାୟା, କୁଅଁର କିନ୍ତୁ ବହି ପଢିବାରେ ମଗ୍ନ । ସବୁ ଦେଶ ଓ ରାଜଧାନୀ ଗୁଡିକର ନାଁ ପୁରା ମୁଖସ୍ଥ । ଥରେ ଯେଉଁ ମାନଚିତ୍ର ଦେଖନ୍ତି ଆଖିରେ ତାଙ୍କର ଯେପରି ପ୍ରିଂଟ ହୋଇଯାଏ । ତାଙ୍କ ଆଗରେ ଯାହା କଥା ହେଲେ ତାହା ତାଙ୍କ ବ୍ରେନରେ ଯେମିତି ରେକର୍ଡ ହୋଇଯାଏ । ଯେତେ ବଡ ଗୁଣନ , ହରଣ ହେଉ ସହଜରେ ସେସବୁ ସମାଧାନ କରିଦିଅନ୍ତି । ମିଶାଣ ଫେଡାଣ ତ ତାଙ୍କ ମୁହଁରେ ।

ସରାଭାର ନଗର ସାକ୍ରିଡ୍ ହାର୍ଟ କନଭେଂଟ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର କୁଅଁର । ହେଲେ ଷ୍ଟାଣ୍ଡାର୍ଡ ୫ର ସବୁ ବହି ଯେପରି ତାଙ୍କ କରାୟତ୍ତ । କଲୋନୀର ସବୁ ଲୋକଙ୍କ ନାଁ ଆଉ ଘର ନମ୍ବର ବି ତାଙ୍କର ମୁଖସ୍ଥ । ଅଲିମ୍ପିଆଡ୍ ଗୁଡିକୁ କିଛି ମାତ୍ର ମିନିଟରେ ସମାଧାନ କରିଦିଅନ୍ତି । ବହି ପଢିବାରେ ତାଙ୍କର ଯୋଶ୍ ଓ ବିଭିନ୍ନ ଭାଷାରେ କଥା କହିବାର ପ୍ରବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଖେଳିବାକୁ ସାଙ୍ଗ ପିଲାମାନେ ଆସିଲେ ଶିକ୍ଷକଙ୍କ ଭଳି ପାଠ ପଚାରନ୍ତି କୁଅଁର । ମାତ୍ର ୩ ବର୍ଷରେ ଅଭୁତପୂର୍ବ ସ୍ମୃତିଶକ୍ତି ପାଇଁ କୁଅଁରଙ୍କୁ ମିଳିଛି ଦେଶ ଓ ବିଶ୍ୱରୁ ଏନେକ ସମ୍ମାନ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ରହିଛି କୁଅଁରଙ୍କ ନାଁ । ମେଡାଲରେ ଭରିହୋଇଯାଉଛି କୁଅଁରଙ୍କ ଛାତି । ଚାଇଲ୍ଡ ପ୍ରୋଜିଡି ମାଗାଜିନରେ ଦେଶରେ ୧୦୦ଜଣ ପିଲାଙ୍କ ମଧ୍ୟରେ ସେ ସବୁଠୁ ଆଗରେ ।ବଡ ହେଲେ ସାଇଣ୍ଟିଷ୍ଟ ହେବେ ବୋଲି କୁହନ୍ତି କୁଅଁର ପ୍ରତାପ ।ପୁଅର ସବୁଇଚ୍ଛା ପୂରଣ କରିବାକୁ ତତ୍ପର ବାପା, ମା’ ।