ଜନତା ଆକ୍ରମଣରେ ପୋଲିସ୍ ଲହୁଲୁହାଣ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆହତ ଖାକି କର୍ମଚାରୀ।

151

କନକ ବ୍ୟୁରୋ: ଜନତାର ସୁରକ୍ଷା ଓ ସ୍ଥିତି ନିୟନ୍ତ୍ରଣ ପାଇଁ ସବୁ କଥାରେ ଲୋଡ଼ା ପଡ଼ୁଥିବା ପୋଲିସ୍ ନିଜେ ଲହୁଲୁହାଣ । ଲୋକଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ପୋଲିସ୍ ଅଧିକାରୀ ।
ବାଙ୍କିରେ ଗୋଷ୍ଠୀ ସଂଘର୍ଷ ମଝିରେ ଫସିଗଲା ପୋଲିସ୍ । ଟେକାପଥର ମାଡ଼ରେ ସବ୍ ଇନିସପେକ୍ଟର ଆହତ । ବାଙ୍କୀ ଥାନା ଗୟଳବାଙ୍କ ଗାଁରେ ଦୋଳମେଲଣରେ ଯାତ୍ରାକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଗୟଳବାଙ୍କ ଓ ଗଭିପୁର ଗାଁର ଯୁବକଙ୍କ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଥିଲା ପୋଲିସ୍ । ହେଲେ ଉଭୟ ଗୋଷ୍ଠୀର ସଙ୍ଘର୍ଷ ମଧ୍ୟରେ ଫସିଯାଇଥିଲେ ପୋଲିସ୍ କର୍ମଚାରୀ, ଆଉ ଖାକି କର୍ମଚାରୀଙ୍କ ଉପରେ ଦୁଇ ପଟରୁ ଟେକା-ପଥର ଓ ବୋତଲମାଡ଼ ହୋଇଥିଲା । ଏଥିରେ ଜଣେ ସବଇନିସପେକ୍ଟରଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି ।

ସେପଟେ ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଗୋଟିଏ ଘରେ କିଛି ଦୁର୍ବୃତ ଲୁଚି ରହିଥିବାର ଖବର ପରେ ବୁଧବାର ପୋଲିସ୍ କର୍ମଚାରୀ ସେଠାରେ ଚଢ଼ାଉ କରିଥିଲେ । ହେଲେ ଦୁର୍ବୃତମାନେ ପୋଲିସ୍ ଉପରେ ପାଲଟା ଆକ୍ରମଣ କରିବା ସହ ବୋମାମାଡ଼ କରିଥିଲେ । ଏଥିରେ ଜଣେ ପୋଲିସ୍ ଅଧିକାରୀ ଆହତ ହୋଇଥିଲେ । ମୋଟ୍ ୫ ଜଣଙ୍କୁ ଏହି ଘଟଣାରୁ ଗିରଫ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲକ୍ଷ୍ମୀପୁର ଛକରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବାର ଖବର ପରେ ପୋଲିସ୍ ଅପହରଣକାରୀଙ୍କୁ ଧରିବାକୁ ରାସ୍ତା ବ୍ଲକ କରିଥିଲା । ହେଲେ ଅପହରଣକାରୀ ପୋଲିସ୍ ଉପରକୁ ଗାଡ଼ି ଚଢ଼ାଇଦେଇଥିଲେ, ଫଳରେ ଜଣେ ଏଏସଆଇ ଆହତ ହୋଇଛନ୍ତି । ଅବଶ୍ୟ ପରେ ଅପହରଣକାରୀଙ୍କୁ କାବୁ କରିନେଇଥିଲା ପୋଲିସ୍ ।