ଧୋନୀଙ୍କ ଗ୍ଲୋଭସରେ ସେନା ସଙ୍କେତ ବିବାଦ: ମାହିଙ୍କ ସାମ୍ନାରେ ରହିଛି ୨ଟି ବିକଳ୍ପ, କାଢିବାକୁ ହେବ ବଳିଦାନ ବ୍ୟାଚ ନଚେତ୍ ମିଳିପାରେ ଏହି ଦଣ୍ଡ !

351

ଥମିବାର ନାଁ ନେଉନାହିଁ ଧୋନୀଙ୍କ ଗ୍ଲୋଭସ ବିବାଦ । ଗୋଟିଏ ପଟେ ଧୋନିଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ଆଇସିସିର ନିର୍ଦ୍ଦେଶ ଦେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ସମର୍ଥନରେ ବାହାରିଥିଲା ବିସିସିଆଇ । ହେଲେ ଏସଂପର୍କରେ ଆଇସିସି ସ୍ପଷ୍ଟ କରିଦେଇଛି କି ଧୋନୀଙ୍କ ଗ୍ଲୋଭସରେ ବଳିଦାନ ବ୍ୟାଚ୍ ଲାଗି ପାରିବ ନାହିଁ । ବିଶ୍ୱକପ୍ ମ୍ୟାଚରେ ଧୋନୀ ପିନ୍ଧିଥିବା ଗ୍ଲୋଭସକୁ ନେଇ ଆଇସିସି କଟକଣା ଲଗାଇଛି । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ଏଭଳି କଟକଣା ପରେ ହରଡଘଣାରେ ପଡି ଯାଇଛନ୍ତି ମାହି । ଏବେ ସେ କଣ କରିବେ? କଣ ସେ ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ବିନା ବଳିଦାନ ବ୍ୟାଚରେ ଖେଳିବେ ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ କ୍ରିକେଟ୍ ଜଗତରେ ସୃଷ୍ଟି ହୋଇଛି ।

ଆଇସିସି ସ୍ପଷ୍ଟ ଭାବେ ମନା କରିଦେଇଛି କି, ମହେନ୍ଦ୍ର ସିଂ ଧୋନି ସେନା ବଳିଦାନ ବ୍ୟାଚ ଥିବା ଗ୍ଲୋଭସ ପିନ୍ଧି ପଡିଆକୁ ଓହ୍ଲାଇ ପାରିବେ ନାହିଁ । ତେବେ ଏଭଳି ସ୍ଥିତିରେ ଧୋନୀଙ୍କ ସାମ୍ନାରେ ବର୍ତ୍ତମାନ ଦୁଇଟି ବିକଳ୍ପ ବଂଚିଛି । ପ୍ରଥମଟି ହେଲା , ଧୋନୀଙ୍କୁ ନିଜ ଗ୍ଲୋଭସ ଫେରାଇବାକୁ ହେବ ନଚେତ୍ ଅନ୍ୟଟି ହେଲା ଧୋନୀଙ୍କୁ ତାଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋକୁ ଢାଙ୍କିବା ପାଇଁ ଟେପ ଲଗାଇବାକୁ ପଡିବ । ତେବେ ଯଦି ଧୋନୀ ଆସନ୍ତାକାଲି ମ୍ୟାଚରେ ବଳିଦାନ ବ୍ୟାଚ୍ ଥିବା ଗ୍ଲୋଭସ ପିନ୍ଧି ଖେଳନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏପରିକି ଜରିମାନା ବାବଦକୁ ମ୍ୟାଚ ଫିସର ୨୫ ପ୍ରତିଶତ ଟଙ୍କା ଧୋନୀଙ୍କୁ ଦେବାକୁ ପଡିପାରେ । ସେହିଭଳି ଯଦି ଧୋନୀ ଏଭଳି କାମ ତୃତୀୟ ଥର ପାଇଁ କରିଥିବେ ତେବେ ନିୟମାନୁସାରେ ଧୋନୀଙ୍କୁ ମ୍ୟାଚ ଫିସର ୫୦ ପ୍ରତିଶତ ଟଙ୍କା ଜରିମାନା ବାବଦକୁ ଗଣିବାକୁ ହେବ ଏବଂ ଚତୁର୍ଥ ଥର ଏଭଳି କରିବା ଦ୍ୱାରା ମ୍ୟାଚ ଫିସର ୭୫ ପ୍ରତିଶତ ପର୍ଯ୍ୟନ୍ତ କାଟି ଦିଆଯିବ ।

ଧୋନୀଙ୍କୁ ବିସିସିଆଇର ସମର୍ଥନ ଏବଂ ପୁରା ଘଟଣା ନେଇ ଆଇସିସି ପ୍ରେସ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ଧୋନୀ, ନିୟମ ଉଲ୍ଲଂଘନ କରିଛନ୍ତି । ଗ୍ଲୋଭସରେ ନିଜ ବାର୍ତା ଦେଇପାରିବେନାହିଁ ଖେଳାଳି , ଧୋନୀ ଏଭଳି କରି ଭୁଲ୍ କରିଛନ୍ତି । ଏପରିକି ଚଳିତ ବିଶ୍ୱକପରେ ଧୋନୀ ଆଉ ଏଭଳି ଗ୍ଲୋଭସ ପିନ୍ଧି ପାରିବେନାହିଁ ବୋଲି ସ୍ପଷ୍ଟ କରିଛି ଆଇସିସି । ସେପଟେ ଆଇସିସିର ଏଭଳି ନିୟମକୁ ବିସିସିଆଇ ଗ୍ରହଣ କରିନେଇଛି । ବିଶ୍ୱକପର ପରବର୍ତୀ ମ୍ୟାଚରେ ଧୋନି ଆଉ ସେହି ଗ୍ଲୋଭସ ପିନ୍ଧିବେ ନାହିଁ ।