ଆଜି ନଜରବନ୍ଦୀରୁ ମୁକ୍ତ ହେବ ମୋଷ୍ଟ ୱାଂଟେଡ ଆତଙ୍କବାଦୀ ହାଫିଜ ସଇଦ । ଭିଡିଓ ଜାରି କରି ଦେଲା ଧମକ । ଭାରତ ମୋର କିଛି କରିପାରିବ ନାହିଁ

53

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ହମଲାର ନଅ ବର୍ଷପୂର୍ତିର ୪ ଦିନ ଆଗରୁ ମୁକ୍ତ ହେବ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ । ଲାହୋର କୋର୍ଟ ତୁରନ୍ତ ଜମାତ ଉଦ ଦାଓକ୍ୱାର ମୁଖିଆ ହାଫିଜ ସୟିଦକୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସେ ଆଜି ୧୦ ମାସ ପରେ ଗୃହବନ୍ଦୀରୁ ଖଲାସ ହେବ ବୋଲି ସୂଚନା ମିଳିଛି । ଗୃହବନ୍ଦୀରୁ ଖଲାସ ସୂଚନା ମିଳିବା ପରେ ହାଫିଜ ଏକ ଭିଡିଓ ଜାରି କରି କଶ୍ମୀର ପ୍ରସଙ୍ଗ ଉଠାଇଛି ହାଫିଜ । ଭିଡିଓରେ ସେ କହିଛି ମୋର ମୁକୁଳିବା ଘଟଣା ଭାରତ ପାଇଁ ଶକ୍ତ ଝଟକା ।

ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ମୋର କିଛି ବିଗାଡି ପାରିବ ନାହିଁ, ଆଉ ଖୁବ ଶୀଘ୍ର କାଶ୍ମୀର ସ୍ୱାଧୀନ ହେବ ବୋଲି କହିଛି ହାଫିଜ ସୟିଦ । କଶ୍ମୀରର ସ୍ୱାଧୀନତା ଲଢେଇ କରୁଥିବାରୁ ଭାରତ ପଛରେ ପଡିିଛି । ଏହା ପାକିସ୍ତାନର ବିଜୟ ବୋଲି ହାଫିଜ କହିଛି । ପାକିସ୍ତାନ ସରକାର କୋର୍ଟରେ ହାପିଜ ବିରୋଧରେ ବଳିଷ୍ଠ ପ୍ରମାଣ ନଦେବା ଓ ବେପରୁଆ ଭାବେ ଦଲିଲ ଉପସ୍ଥାପନା କରିଥିଲେ । ବୁଧବାର ଜୁଡିସିଆଲ ରିଭ୍ୟୁ ବୋର୍ଡ ହାଫିଜ ବିରୋଧରେ ଦାଖଲ ପ୍ରମାଣ ଓ ଦଲିଲ ତାକୁ ଗୃହବନ୍ଦୀ କରି ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିଲେ । ପାକିସ୍ତାନ ସରକାର ଅନ୍ୟ କୌଣସି ମାମଲାରେ ହାଫିଜ ସୟିଦକୁ ନ ଛନ୍ଦିଲେ, ସେ ଆଜି ମୁକ୍ତ ହେବା ନିଶ୍ଚିତ ।

ଗୋଇନ୍ଦା ସୂଚନା ଆଧାରରେ ପାକିସ୍ତାନ ସରକାର ହାଫିଜକୁ ଗତ ଜାନୁୟାରୀରେ ବହୁ ଅପରାଧ ମାମଲାରେ ଗୃହବନ୍ଦୀ କରି ରଖିଥିଲେ । ତେଣୁ ପଂଜାବ ସରକାର ଅନ୍ୟ ମାମଲାରେ ହାଫିଜକୁ ଅଟାକାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି । ହାପିଜକୁ ମୁକ୍ତ ନିର୍ଦ୍ଦେଶ ଦେବା ପ୍ରମାଣ କରୁଛି ପାକିସ୍ତାନ ସାରା ବିଶ୍ୱକୁ ଆତଙ୍କବାଦ ପ୍ରସଙ୍ଗରେ ଧୋକା ଦେଉଛି । ଏହା ପାକିସ୍ତାନର ଆତଙ୍କବାଦ ବିରୋଧୀ ନୀତିର ମୁଖା ଖୋଲି ଦେଇଛି । ପାକିସ୍ତାନ ମାଟିରେ ଅନ୍ୟ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ କରୁଥିବା ଆତଙ୍କବାଦୀଙ୍କ ପ୍ରତି ଏପରି କୋହଳ ମନୋଭାବ ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇଛି ।