ଆଜି ଓଡିଶା ଛୁଇଁବ ମୌସୁମୀ । ୧୨ଘଂଟା ଭିତରେ ସକ୍ରିୟ ହେବ ମୌସୁମୀ ବାୟୁ, ୨୩ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ।

202

କନକ ବ୍ୟୁରୋ : ଓଡିଶାର ନିକଟତର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ଓଡିଶା ଛୁଇଁବ ମୌସୁମୀ । ଆସନ୍ତା ୧୨ ଘଂଟା ଭିତରେ ଦକ୍ଷିଣ ଓଡିଶାରେ ସକ୍ରିୟ ହେବ ମୌସୁମୀ । ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପରବର୍ତି ସମୟରେ ଉପକୂଳ ଓ ଉତର ଓଡିଶାକୁ ମୌସୁମୀ ବ୍ୟାପି ଯିବ । ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି ।

ପାଣିପାଗ ‌କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା‌ ୩ ଦିନ ଯାଏ ଏପରି ଲାଗିରହିବ । ବର୍ଷା ସାରା ରାଜ୍ୟରେ ହେବ । ୨୧ ଓ ୨୨ ତାରିଖରେ କଟକ, ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହାପରେ ବି ବର୍ଷା ଲାଗିରହିବ । ତେବେ ପ୍ରବଳ ବର୍ଷା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୌସୁମୀ ଏବେ କର୍ଣ୍ଣାଟକ ଉପକୂଳ, ଗୋଆ, ଦକ୍ଷିଣ କେନ୍ଦ୍ରୀୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ ସକ୍ରିୟ ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାରର କିଛି ଅଞ୍ଚଳ, ସିକିମ୍‌, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ମୌସୁମୀ ସକ୍ରିୟ ରହିବ । ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଉତ୍ତର ଓଡ଼ିଶା ଉପରେ ରହିବ । ତେଣୁ ତିନି ଦିନ ଧରି ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି ।