ଓଟିଡିସିର ମନସୂନ ପ୍ୟାକେଜ୍! ହାତ ପାହାନ୍ତାରେ ପର୍ଯ୍ୟଟକଙ୍କୁ ମିଳିବ ପ୍ରାକୃତିକ ସୌନ୍ଦର୍ଯ୍ୟ

43

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ । ଝିପ୍ ଝିପ୍ ବର୍ଷା । ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ । ସମୁଦ୍ରର ନୀଳ ଜଳରାଶିର ଢ଼େଉ । ଆକାଶରେ ଭସା ବାଦଲ । ଏମିତି ଚିତ୍ରକୁ ଭାବିବା ସହଜ ହେଲେ ହାତ ପାହାନ୍ତାରେ ପାଇବା ଏତେ ସହଜ ନୁହେଁ । କିନ୍ତୁ ପର୍ଯ୍ୟଟକଙ୍କୁ ଏହି ସ୍ୱପ୍ନିଳ ଅନୂଭୁତିକୁ ସତରେ ଭେଟିଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ ଓଟିଡିସି ସ୍ୱତନ୍ତ୍ର ଅଫର ଆଣିଛି । ଯାହାର ନାଁ ରହିଛି ସ୍ପେଶିଆଲ ମନସୁନ ପ୍ୟାକେଜ ଟୁର ।

କଂକ୍ରିଟ ସହରରୁ ଦୂରେଇ ଯାଇ ଭିଜା ମାଟିା ବାସ୍ନା ପାଇବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଓଟିିଡିସି ଏହି ପ୍ୟାକେଜ ଆଣିଛି । ଓଟିଡିସି ୱେବସାଇଟରେ ଏ ନେଇ ବିସ୍ତୃତ ସୂଚନା ଦିଆଯାଇଛି । ଏହି ପ୍ୟାକେଜ ପାଇଁ ଅନଲାଇନରେ ବୁକିଂ ଆରମ୍ଭ ହୋଇଗଲାଣି । କମ ଦାମରେ ପର୍ଯ୍ୟଟକଙ୍କ ପାଇଁ ଏହି ପ୍ୟାଜେକ ଆରମ୍ଭ କରାଯାଇଛି । ଏହି ପ୍ୟାଜେକରେ ଗୋଟିଏ ଦିନ ବୁଲିବା ସହ ରାତି ରହଣିର ବ୍ୟବସ୍ଥା ହୋଇଛି ।

ବର୍ଷାଦିନ ପାଇଁ ଶିମିଳିପାଳ ଅଞ୍ଚଳକୁ ନିଷେଧ କରାଯାଇଥିବାରୁ ଏହି ପ୍ୟାଜେକରେ ଶିମିଳିପାଳ ସ୍ଥାନ ପାଇନାହିଁ । କିନ୍ତୁ ପର୍ଯ୍ୟଟକମାନେ ପୁରୀ, ଚିଲିକା, କାଳିଜାଈ, ନାରାୟଣୀ, ପଞ୍ଚଲିଙ୍ଗେଶ୍ୱର, ଭିତରକନିକା, ଗୋପାଳପୁର ବେଳାଭୂମି, ରମ୍ଭା ଓ ତପ୍ତପାଣୀ ଆଦି ସ୍ଥାନ ବୁଲି ଦେଖିପାରିବେ । ଏଥିପାଇଁ ରାଜ୍ୟର ବିଭିନ୍ନ ପାଂଥନିବାସ ସହ ଯୋଗାଯୋଗ କରାଯାଇଛି ।

ଚିଲିକା, ସାତପଡା ବୁଲିବା ପରେ ପୁରୀ ଦେଇ ଫେରିବା ପାଇଁ ଗୋଟିଏ ଦିନ ସ୍ଥିର ହୋଇଛି । ଯେଉଁଥିପାଇଁ ପର୍ଯ୍ୟଟକଙ୍କୁ ୧୧୫୫ଟଙ୍କା ଦେବାକୁ ପଡିବ । ସେହିପରି ଚିଲିକା, ବରକୂଳ, କାଳିଜାଈ, ନାରାୟଣୀ ବୁଲି ଫେରିବା ପାଇଁ ଗୋଟିଏ ଦିନ ପାଇଁ ୧୨୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ପଞ୍ଚଲିଙ୍ଗେଶ୍ୱରରେ ପ୍ରାକୃତିକ ପରିବେଶର ମଜା ଉଠାଇବାକୁ ପର୍ଯ୍ୟଟକଙ୍କୁ ଟିକିଏ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଦୁଇଦିନ ଏବଂ ଗୋଟିଏ ରାତି ଏଠାରେ ରହି ନେଚର ଟ୍ରାଏଲ ନେବା ପାଇଁ ପର୍ଯ୍ୟଟକଙ୍କୁ ୪୫୦୦ଟଙ୍କା ଦେବାକୁ ପଡିବ ।

ଜଙ୍ଗଲକୁ ଭଲ ପାଉଥିବା ଲୋକଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭତରକନିକାରେ ବୁଲିବା ସହ ଜଙ୍ଗଲୀ ଅନୂଭୁତି ସାଉଁଟି ପାରିବେ ପର୍ଯ୍ୟଟକ । ଏହି ପ୍ୟାକେଜରେ ଜଣେ ପର୍ଯ୍ୟଟକ ଗୋଟିଏ ରାତି ଓ ଦୁଇଦିନ ରହଣି ଭିତରେ କୁମ୍ଭୀର ପ୍ରଜନନ ଦେଖିବା ସହ ହେନ୍ତାଳ ବଣରେ ବୁଲିବାର ମଜା ଉଠାଇ ପାରିବେ । ପକ୍ଷୀଙ୍କ କଳରବରେ ଉଛୁଳୁଥିବା ଭିତରକନିକାରେ ବିଭିନ୍ନ ପକ୍ଷୀଙ୍କୁ ଦେଖିବା ସହ ଜୈବବିବିଧତାକୁ ଅତି ନିକଟରୁ ଦେଖିବାର ସୁଯୋଗ ନେବା ପାଇଁ ପର୍ଯ୍ୟଟକଙ୍କୁ ୩୮୧୦ ଟଙ୍କା ଦେବା ପାଇଁ ପଡିବ ।

ବେଳାଭୂମିରେ ବୁଲି ସମୁଦ୍ରକୂଳିଆ ହାୱା ଖାଇବାକୁ ପସନ୍ଦ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଓଟିଡିସି ବ୍ୟବସ୍ଥା କରିଛି । ଗୋପାଳପୁରର ସ୍ୱର୍ଣ୍ଣିମ ବେଳାଭୂମିରେ ବୁଲି ନାଲି କଙ୍କଡା ଧରିବାର ମଜା ଉଠାଇବା ସହ ଚିଲିକା କୂଳର ରମ୍ଭାରେ ରହି ପ୍ରାକୃତିକ ପରିବେଶକୁ ନିଜର କରିବା ପାଇଁ ବି ଓଟିଡିସିର ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି । ଜଣପିଛା ୪୫୧୦ ଟଙ୍କା ଦେଇ ଏଠାରେ ଗୋଟିଏ ରାତି ଓ ଦୁଇଦିନ ରହି ବେଳାଭୂମିର ମଜା ନେଇ ପାରିବେ । ସେହିପରି ତପ୍ତପାଣିରେ ଗୋଟିଏ ରାତି ଓ ଦୁଇଦିନ ରହି ବୁଲିବା ପାଇଁ ୪୬୫୦ ଟଙ୍କା ଦେବାକୁ ପଡିବ ପର୍ଯ୍ୟଟକଙ୍କୁ ।

ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଅଫର ଚାଲିବ । ଏହି ସ୍ୱତନ୍ତ୍ର ମନସୁନ ପ୍ୟାଜେଜରେ ପର୍ଯ୍ୟଟକଙ୍କ ପାଇଁ ଏସି ବସର ବ୍ୟବସ୍ଥା ହୋଇଛି । ଏହାଛଡା, ଭୋଜନ, ରାତି ରହଣି ପାଇଁ ଏସି ଘର, ଚିଲିକା ହ୍ରଦରେ ବୋଟିଂ, ବିଭିନ୍ନ ର୍ଦାନୀୟ ସ୍ଥାନକୁ ଯିବା ପାଇଁ ଦରକାର ପଡୁଥିବା ପ୍ରବେଶ ଶୁଳ୍କ ପ୍ରଭୃତିର ବ୍ୟବସ୍ଥା ହୋଇଥିବା ଓଟିଡିସି ପକ୍ଷରୁ କୁହାଯାଇଛି ।

କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଲାଗୁଥିବା ପ୍ରବେଶ ଶୁଳ୍କ କୁ ଏଥିରୁ ବାଦ ଦିଆଯାଇଛି । କ୍ୟାମେରା ଓ ଭିଡିଓ କ୍ୟାମେରା ବାବଦ ଦେୟ ମଧ୍ୟ ପର୍ଯ୍ୟଟକଙ୍କୁ ନିଜେ ଦେବାକୁ ପଡିବ । ପ୍ରତ୍ୟେକ ଟୁର ପାଇଁ ଅତିି କମରେ ୮ଜଣ ପର୍ଯ୍ୟଟକ ରହିବା ଆବଶ୍ୟକ ବୋଲି ସୂଚନା ଦେଇଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ।