କେନ୍ଦ୍ରାପଡାରେ ମଙ୍କିପକ୍ସ ଗୁଜବ: ଅଜଣା ରୋଗରେ ଜଣଙ୍କ ମୃତ୍ୟୁ ପରେ, ଗାଁରେ କୋକୁଆ ଭୟ

192

କନକ ବ୍ୟୁରୋ: ଅଜଣା ଚର୍ମ ରୋଗରେ ଜଣଙ୍କ ମୃତ୍ୟୁ ପରେ ଗାଁରେ ଖେଳି ଯାଇଛି କୋକୁଆ ଭୟ । ମଙ୍କିପକ୍ସ ଗୁଜବ ଯୋଗୁଁ ସମଗ୍ର ଗାଁକୁ କରାଯାଇଛି ସାମାଜିକ ବାସନ୍ଦ । ଆଜିର ଆଧୁନିକ ସମାଜରେ ବାସନ୍ଦ ଭଳି କୁପ୍ରଥାକୁ ଦୂରେଇ ପାରିନାହାନ୍ତି ଲୋକେ । ଏବେ ବି ବିଭିନ୍ନ କାରଣ ପାଇଁ ଲୋକଙ୍କୁ ବାସନ୍ଦ ଜୀବନ କାଟିବାକୁ ପଡୁଛି । କେତେବେଳେ ଭିନ୍ନଜାତିରେ ବିବାହ ପାଇଁ ତ କେତେବେଳେ ରୋଗ ପାଇଁ । କେନ୍ଦ୍ରାପଡା ଜିଲ୍ଲା ବିରିବାଟି ଗାଁରେ ସାମାଜିକ ବାସନ୍ଦ ଜୀବନ ବିତାଉଛନ୍ତି ଗ୍ରାମବାସୀ । ତେବେ ଗାଁର ନିଲୁ ସିଧୁ ନାମକ ଜଣେ ଯୁବକ ଦାଦନ ଖଟିବା ପାଇଁ ବାଙ୍ଗାଲୁରୁ ଯାଇଥିଲେ । ସେଠାରେ ସେ ଚର୍ମ ରୋଗରେ ପୀଡିତ ହୋଇ ଗାଁକୁ ଆସିଥିଲେ । ପରେ ତାଙ୍କ ସ୍ତ୍ରୀ ଓ ପିଲାମାନେ ସେହି ରୋଗରେ ପୀଡିତ ହୋଇଛନ୍ତି । ତେବେ ଏହାରି ଭିତରେ ନିଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍କିପକ୍ସ ରୋଗ ଭୟରେ ବିରିବାଟି ଗାଁର ଲୋକଙ୍କୁ ସାମାଜିକ ବାସନ୍ଦ କରିଛନ୍ତି ଆଖପାଖର ଗାଁ ଲୋକେ । ଆଦିବାସୀ ବହୁଳ ଏହି ଗାଁର ଲୋକଙ୍କୁ ଅନ୍ୟ ଗାଁର ଦୋକାନକୁ ଯିବାକୁ ବାରଣ କରାଯାଇଛି । ରାସ୍ତାରେ ଯିବା ଆସିବା କରିବା ଓ ପିଲାଙ୍କୁ ସ୍କୁଲକୁ ଯିବା ପାଇଁ ମଧ୍ୟ କଟକଣା ଲାଗିଛି । କେହି କାମକୁ ଡାକୁ ନାହାନ୍ତି । ତେଣୁ ମୂଲ ମଜୁରୀ ପେଟ ପୋଶୁଥିବା ଆଦିବାସୀ ପରିବାର ବହୁ ଦୁର୍ଦୀନରେ ଦିନ କାଟୁଥିବା ଅଭିଯୋଗ ହୋଇଛି ।