୯୫ ବର୍ଷରେ ପଦାର୍ପଣ କଲେ ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କାଟିଲେ କେକ୍

235

କନକ ବ୍ୟୁରୋ : କଟ୍ଟର ହିନ୍ଦୁବାଦୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କର ଆଜି ହେଉଛି ୯୫ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଂଚିଥିଲେ । ଉଭୟ ଏକା ସାଥିରେ ୪୦ ମିନିଟ ସମୟ ବିତାଇବା ପରେ ଆଡଭାନୀ ଜନ୍ମଦିନ କେକ୍ କାଟିଥିଲେ । ଏହାସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବି ଆଡଭାନୀଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ୧୯୨୭ ନଭେମ୍ବର ୮ ତାରିଖରେ ଅବିଭକ୍ତ ଭାରତର କରାଚୀରେ ହୋଇଥିଲା । ୨୦୦୨ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ବାଜପେୟୀଙ୍କ ସରକାରରେ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ସେ ଏନଡିଏ ସରକାରରେ ଗୃହମନ୍ତ୍ରୀ ଥିଲେ । ୨୦୧୫ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ସେପଟେ ଯଦି ଆମେ ଆଡଭାନୀଙ୍କ ରାଜନୈତିକ କ୍ୟାରିଅର ବାବଦରେ ଆଲୋଚନା କରିବା ତାହେଲେ ସେ ୧୯୪୨ ମସିହାରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଜଣେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ ।

୧୯୭୦ ରୁ ୧୯୭୨ ପର୍ଯ୍ୟନ୍ତ ସେ ଜନସଂଘ ଦିଲ୍ଲୀ ଆଞ୍ଚଳିକ କମିଟିର ଅଧ୍ୟକ୍ଷ ଥିଲେ । ଏହାପରେ ୧୯୭୩-୧୯୭୭ ପର୍ଯ୍ୟନ୍ତ ସେ ଜନସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି ।
୧୯୭୦-୧୯୮୯ ପର୍ଯ୍ୟନ୍ତ ସେ ୪ ଥର ରାଜ୍ୟସଭାକୁ ମନୋନ୍ନିତ ହୋଇଥିଲେ । ୧୯୭୩-୧୯୭୭ ପର୍ଯ୍ୟନ୍ତ ସେ ଜନତା ପାର୍ଟିର ମହାସଚିବ ବି ଥିଲେ ।

୧୯୭୭-୧୯୭୯ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ମୋରାଜୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । ୧୯୮୬-୯୧ ଓ ୧୯୯୩-୯୮ ଏବଂ ୨୦୦୪-୦୫ ପର୍ଯ୍ୟନ୍ତ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ୧୯୮୯ ରେ ସେ ନବମ ଲୋକସଭା ନିର୍ବାଚନରେ ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

୧୯୮୯-୯୧ ପର୍ଯ୍ୟନ୍ତ ସେ ଲୋକସଭାରେ ବିରୋଧୀଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି । ୧୯୯୧, ୧୯୯୮,୧୯୯୯, ୨୦୦୪,୨୦୦୯, ଓ ୨୦୧୪ ରେ ସେ ଗାନ୍ଧୀନଗର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୫ ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ବଡ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ପୁରସ୍କୃତ କରାଯାଇଥିଲା ।