ତିନି ତଲାକ ପାଇଁ ତିନି ବର୍ଷ ଜେଲ ! ବିଲକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ, ସଂସଦରେ ବିଲ ଆଗତ ପାଇଁ ଫିଟିଲା ବାଟ

70

କନକ ବ୍ୟୁରୋ : ଟ୍ରିପଲ୍ ତଲାକ୍ ରୋକିବାକୁ ସଂସଦର ଶୀତ ଅଧିବେଶନରେ ଆସିବ ବିଲ୍ । ଏହି ବିଲ୍ ଆଗତ ହେବା ପାଇଁ ରାସ୍ତା ପରିଷ୍କାର ହୋଇଛି । ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍୍ ୨୦୧୭କୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ବିଲ୍ ପାରିତ ହେଲେ ତିନି ତଲାକକୁ ଧର୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ଗ୍ରହଣ କରାଯିବ । ଏହି ଅପରାଧ ଲାଗି ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଏହି ମାସର ପ୍ରଥମ ସପ୍ତାହରେ ବିଲ୍ ଡ୍ରାଫ୍ଟକୁ ରାଜ୍ୟଗୁଡିକୁ ପଠାଇଥିଲେ କେନ୍ଦ୍ର ସରକାର । ଡିସେମ୍ବର ୧୦ ତାରିଖ ସୁଦ୍ଧା ଉତର ରଖିବାକୁ କୁହାଯାଇଥିଲା ।

ତିନି ତଲାକ୍ ବା ତତକ୍ଷଣାତ୍ ଛାଡ଼ପତ୍ରକୁ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ଏହି ବିଲ୍ ଡ୍ରାଫଟ ପ୍ରସ୍ତୁତ କରିଥିଲେ । ଏହି ବିଲ୍ ଆଇନରେ ପରିଣତ ହେଲେ ମୌଖିକ, ଲିଖିତ, ଟେଲିଫୋନ୍ କିମ୍ବା ସୋସିଆଲ ମିଡିଆରେ ତଲାକ୍ ଦେବା ବେଆଇନ୍ ହେବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।