କିଛି ସମୟର ବର୍ଷାରେ ଖୋର୍ଦ୍ଧାରେ ସାଂଘାତିକ ଦୃଶ୍ୟ: ପାଣିରେ ବୁଡ଼ିଗଲା ମୋ ବସ୍

273

କନକ ବ୍ୟୁରୋ: ପାଣି ଭିତରେ ଫସି ଯାଇଛି ଯାଉଥିବା ମୋ-ବସ୍ । ପ୍ରବଳ ପାଣି ଭିତରେ ଫସି ଯିବା ପରେ ଆଉ ଆଗକୁ ଗଡିପାରିନଥିଲା ବସ୍ । ସେହିଠାରେ ହିଁ ଅଟକି ଯାଇଥିଲା । ଏ ଦୃଶ୍ୟ ହେଉଛି ଜଟଣୀ ମୁଖ୍ୟ ରାସ୍ତାରେ ଥିବା ଅଣ୍ଡରପାସର । ଯେଉଁଠି ପାଣି ଭିତରେ ବସଟି ସମ୍ପୂର୍ଣ୍ଣ ବୁଡି ଯାଇଛି । ବସର ଛାତ ପର୍ଯ୍ୟନ୍ତ ଲାଗି ଯାଇଛି ବର୍ଷା ପାଣି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୁଡି ଯାଇଥିବା ବସରେ ଥିଲେ ୨୦ରୁ ଅଧିକ ଯାତ୍ରୀ । ଆଉ ବସଟି ପାଣିରେ ବୁଡିଯିବା ପରେ ଜୀବନ ବଂଚାଇବା ପାଇଁ ଚିକ୍ରାର କରିଥିଲେ । ତାପରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ବସରୁ ବାହାରି ଆସିଥିଲେ । ଏ ହେଉଛି ସେହି ସମୟର ଦୃଶ୍ୟ । ଜୀବନ ବଂଚାଇବା ପାଇଁ ପାଣି ଭିତରେ ସଂଘର୍ଷ କରୁଥିଲେ ଯାତ୍ରୀ । ରାସ୍ତା ଉପରେ ପ୍ରବାହିତ ହେଉଥିଲା ପ୍ରାୟ ୧୫ଫୁଟ ଉଚ୍ଚର ପାଣି । ରାସ୍ତା ଉପରର ଦୃଶ୍ୟ ନଦୀର ଭ୍ରମ ସୃଷ୍ଟି କରୁଥିଲା । ଯାହା ଯାତ୍ରୀଙ୍କ ଭୟକୁ ଆହୁରି ବଢ଼ାଇ ଦେଇଥିଲା ।

ବର୍ଷା ହେଲେ ଜଟଣୀର ଏହି ସ୍ଥାନରେ ପ୍ରତିବର୍ଷ ଏମିିତି ସମସ୍ୟା ସୃଷ୍ଟି ହୋଇଥାଏ । ସମସ୍ୟାର ସମାଧାନ ପାଇଁ ନେତା ମନ୍ତ୍ରୀ, ପ୍ରଶାସନ ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଏ । ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଲୋକେ । କିନ୍ତୁ ଏବର୍ଷ ସବୁ ବର୍ଷକୁ ଟପିଯାଇଛି । ଏବେ ପ୍ରଶ୍ନ ଉଠୁଛି,

– ବର୍ଷ ବର୍ଷ ଧରି ପାଣି ଜମୁଥିଲେ ବି କାହିଁକି କରାଯାଉନି ସ୍ଥାୟୀ ସମାଧାନ?
– ଯଦି ଯାତ୍ରୀଙ୍କର କିଛି ଅଘଟଣ ଘଟିଥାନ୍ତା ତାହେଲେ କିଏ ରହିଥାନ୍ତା ଉତ୍ତରଦାୟୀ?