ହରନାଜ ପିନ୍ଧିଲେ ୩୮ କୋଟି ମୂଲ୍ୟର ମୁକୁଟ । ଆଉ କେଉଁ କେଉଁ ସୁବିଧା ପାଇବେ ହରନାଜ ?

2,306

କନକ ବ୍ୟୁରୋ: ଦୀର୍ଘ ୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ବ୍ରହ୍ମାଣ୍ଡ ସୁନ୍ଦରୀ । ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଭାରତର ୨୧ ବର୍ଷିୟା ହରନାଜ ସନ୍ଧୁ । ମୁଣ୍ଡରେ ତାଙ୍କର ଶୋଭା ପାଉଛି ୩୮ କୋଟି ମୂଲ୍ୟର ହିରା ମୁକୁଟ । ଏହି ମୁକୁଟ ପ୍ରକୃତି, ଶକ୍ତି, ସୌନ୍ଦର୍ଯ୍ୟ, ନାରୀତ୍ୱ ଓ ଏକତାର ପ୍ରତୀକ ।ଏହା ୧୮ କ୍ୟାରାଟ ସୁନାରେ ନିର୍ମିତ । ଏଥିରେ ଲାଗିଛି ୧୭୭୦ ଟି ହିରା । ମୁକୁଟରେ ଲାଗିଥିବା ପତ୍ରର ଡିଜାଇନ୍ ସାତଟି ମହାଦ୍ୱୀପର ପ୍ରତୀକ ।

ଏହି ଦାମୀ ମୁକୁଟ ସହ ବିଜୟିନୀଙ୍କୁ ଅଧିକ କ’ଣ ସୁବିଧା ମିଳେ ?

ଯଦିଓ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ କେବେବି ବିଜେତାଙ୍କୁ ମିଳୁଥିବା ଅର୍ଥର ଖୁଲାସା କରିନାହିଁ, କିନ୍ତୁ ପୁରସ୍କାର ଲକ୍ଷଲକ୍ଷ ଟଙ୍କାରେ ମିଳେ । ମିସ୍ ୟୁନିଭର୍ସଙ୍କୁ ନ୍ୟୁୟର୍କ ସ୍ଥିତ ମିସ୍ ୟୁନିଭର୍ସ ଅପାର୍ଟମେଣ୍ଟରେ ଗୋଟିଏ ବର୍ଷ ପାଇଁ ରହିବାକୁ ସୁଯୋଗ ମିଳିଥାଏ । ଏଠାରେ ସେ ଏକ ବର୍ଣ୍ଣାଢ୍ୟ ଘରେ ମିସ୍ ୟୁୁଏଏସଏଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ । ଏହି ସମୟରେ ତାଙ୍କର ସବୁ ଖର୍ଚ୍ଚ  ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ବହନ କରିଥାଏ ।

ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟିନୀଙ୍କୁ ଆସିଷ୍ଟାଣ୍ଟ ଓ ମେକଅପ୍ ଆର୍ଟିଷ୍ଟର ଏକ ଟିମ୍ ଦିଆଯାଏ । ବର୍ଷକ ପାଇଁ ମେକଅପ୍, କେଶସଜ୍ଜା ଡିଜାଇନର, ଜୋତା, ପୋଷାକ, ଗହଣା ସ୍କିନକେୟାର ସବୁ କିଛି ମାଗଣା ଯୋଗାଇଦିଆଯାଏ । ତାଙ୍କୁ ମଡେଲିଙ୍ଗ ପାଇଁ ସୁଯୋଗ ଦିଆଯାଏ । ଏଥିପାଇଁ ତାଙ୍କୁ ଜଣେ ଦକ୍ଷ ଫଟୋଗ୍ରାଫର ଯୋଗାଇଦିଆଯାଏ । ଏହାସହ ତାଙ୍କ ପାଇଁ ମାଗଣା ଡାକ୍ତରୀ ସୁବିଧା ଯୋଗାଇଦିଆଯାଏ । ଏହା ସହ ବର୍ଷକ ପାଇଁ ପୁରା ଦୁନିଆଁ ବୁଲିବା, ଦାମୀ ହୋଟେଲରେ ରହଣୀ, ଖାଇବାର ସମସ୍ତ ଖର୍ଚ୍ଚ ବହନ କରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ।