ମଜୁରିଆ ବାପା ମେଧାବୀ ଝିଅ । ଇଚ୍ଛାଶକ୍ତି ଆଗରେ ହାର ମାନିଛି ବିଫଳତା,ଅଭାବ ଅଟକାଇ ପାରିନି ସ୍ୱୟଂପ୍ରଜ୍ଞାଙ୍କ ସଫଳତାର ବାଟ.

160

କନକବ୍ୟୁରୋ: ପିଲାଟିଏ ଜନ୍ମ ହେବା ପରେ ତାକୁ ପାଠ ପଢାଇ ଭଲ ମଣିଷ ଭଳି ଗଢି ତୋଳିବାକୁ ସବୁ ବାପା-ମାଆ ସ୍ୱପ୍ନ ଦେଖନ୍ତି । ହେଲେ ଅନେକ କ୍ଷେତ୍ରରେ ପିଲାଙ୍କ ଉତମ ଶିକ୍ଷାଦାନରେ ଅର୍ଥ ବାଧକ ସାଜେ । କିନ୍ତୁ ସବୁ ବେଳେ ଅର୍ଥାଭାବ ମେଧାବୀ ଛାତ୍ରଛାତ୍ରୀଙ୍କ ସଫଳତା ବାଟରେ ବାଧକ ହୋଇପାରନ୍ତି ନାହିଁ । ଆଉ ସେମିିତି ଘଟଣାର ଦୁଇଟି ଉଦାହରଣ ହେଉଛନ୍ତି ବାଲିପାଟଣାର ସ୍ୱଂୟପ୍ରଜ୍ଞା ସହୁ ଓ ମୟୂରଭଂଜ ଜିଲ୍ଲାର ଅଭେଷକ ଧଡା । ପେଟି ମୁଣ୍ଡାଇ ପଇସା ଆଣିଲେ ଘର ଚଳିବ, ଦୁଇ ପଇସା ବଳିରେ ଝିଅକୁ ପାଠ ପଢିବ । ସେଇ ଆଶାରେ ସକାଳୁ ରାତି ଯାଏଁ ରାଜଧାନୀର ବିଭିନ୍ନ ଅନୁଷ୍ଠାନରେ ଦିନ ମଜୁରିଆ ଭାବେ ଖଟୁଛନ୍ତି ପ୍ରଦୀପ କୁମାର ସାହୁ ।

ବାପାଙ୍କ ପରିଶ୍ରମକୁ ଅତି ପାଖରୁ ଦେଖିଥିବା ଝିଅ ସ୍ୱୟଂ ପ୍ରଜ୍ଞା ବି ଆଶା ପୂରଣ ଦିଗରେ ଆଉ ପାଦେ ଆଗକୁ ଯାଇଛନ୍ତି । ଯୁକ୍ତ ୨ ବିଜ୍ଞାନରେ ୫୪୮ ନମ୍ବର ସହ ସଫଳ ହୋଇ ଅର୍ଥାଭାବର ପ୍ରତିବନ୍ଧକକୁ ପ୍ରତିହତ କରିଛନ୍ତି । +୨ ବିଜ୍ଞାନରେ ରାଜ୍ୟର ଦ୍ୱିତୀୟ ଓ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପରିବା ଚାଷୀଙ୍କ ପୁଅ । ଅଭିଷେକ ଧଡା ବିଜ୍ଞାନରେ ସର୍ବାଧିକ ୫୭୨ ମାର୍କ ରଖି ମୟୂରଭଂଜ ଜିଲ୍ଲାର ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ଅଭିଷେକଙ୍କ ବାପା ଉତମ ଧଡ଼ା ଜଣେ ପରିବା ଚାଷୀ । ପୁଅକୁ ଉଚ୍ଚଶିକ୍ଷିତ କରିବା ଆଶାରେ ଚାଷଜମିରେ ମୁଣ୍ଡଝାଳ ତୁଣ୍ଡରେ ମାରି ଏକ ଘରୋଇ କଲେଜ୍ରେ ପଢାଉଥିଲେ । ଅଭିଷେକ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ବାପାଙ୍କ ପରିଶ୍ରମର ମୂଲ୍ୟ ସ୍ୱରୂପ ସଫଳତା ହାସଲ କରିଛନ୍ତି । ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରତି ଛାତ୍ର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏଥିରେ ଭଲ ନମ୍ବର ରଖିଲେ ଆଗକୁ ଭଲଭଲ ଅନୁଷ୍ଠାନରେ ପାଠ ପଢିବାର ସୁଯୋଗ ମିଳେ । ହେଲେ ଅଭାବୀ ପରିବାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏସୁଯୋଗ ହାସଲ କରିବା ସେତେ ସହଜ ନୁହେଁ ।