ବୈବାହିକ ବଳାତ୍କାର ଅପରାଧ ନା ନୁହେଁ? ରାୟ ଶୁଣାଇ ପାରିଲେନି ଦିଲ୍ଲୀ ହାଇକୋର୍ଟ, ମାମଲା ବଡ ବେଞ୍ଚକୁ ଗଲା । 

147

କନକ ବ୍ୟୁରୋ: ବୈବାହିକ ବଳାତ୍କାର ଅପରାଧ ଅଟେ ନା ନୁହେଁ? ବୁଧବାର ଏହି ମାମଲାର ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ଜଜ୍ ଏହାର ରାୟ ଶୁଣାଇବା ସମୟରେ ଏକମତ ହୋଇପାରିନଥିଲେ । ଯାହା ଫଳରେ ଏହି ମାମଲାକୁ ଜଜ୍ ତିନି ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ବୈବାହିକ ଜୀବନରେ ବଳାତ୍କାର ମାମଲାରେ ଜଷ୍ଟିସ୍ ରାଜୀବ ଶକଧର ଓ ଜଷ୍ଟିସ୍ ହରିଶଙ୍କରଙ୍କ ଭିତରେ ରାୟ ଶୁୁଣାଇବାକୁ ନେଇ ମତଭେଦ ରହିଥିଲା । ତେଣୁ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜଷ୍ଟିସ ରାଜୀବ ଶକଧର ମାରିଟାଲ୍ ରେପକୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ପକ୍ଷ ରଖିଥିଲେ । ହେଲେ ଜଷ୍ଟିସ ହରିଶଙ୍କର କିନ୍ତୁ ଏଥିରେ ଏକମତ ହୋଇନଥିଲେ । ଜଷ୍ଟିସ ରାଜୀବଙ୍କ କହିବା କଥା, ପତ୍ନୀଙ୍କ ବିନା ଇଚ୍ଛାରେ ଶାରିରୀକ ସମ୍ପର୍କ ରଖିବା ଆଇନଗତ ଅପରାଧ ଅଟେ । ତେବେ ଜଷ୍ଟିସ୍ ହରିଶଙ୍କର ଏହି ମାମଲାରେ ଏକମତ ହୋଇପାରିନଥିଲେ ।

ତେବେ ଏ ସମ୍ପର୍କରେ ଫେବ୍ରୁଆରୀ ମାସରେ ହୋଇଥିବା ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲାରେ ସାମାଜିକ ଓ ପାରିବାରିକ ଜୀବନ ଉପରେ ପଡୁଥିବା ପ୍ରଭାବକୁ ମଧ୍ୟ ଅଧ୍ୟୟନ କରାଯିବା ଆବଶ୍ୟକ । ତା ସହିତ ଏହି ମାମଲା କାନୁନ୍, ସମାଜ, ପରିବାର ଓ ସମ୍ବିଧାନ ସହ ସମ୍ବନ୍ଧିତ । ତେଣୁ ରାଜ୍ୟ ସରକାରଙ୍କର ମଧ୍ୟ ଏ ସମ୍ପର୍କରେ ବିଚାର ଜାଣିବା ଦରକାର ବୋଲି ସେ କହିଥିଲେ ।