ମନୀଷ ସିସୋଦିଆଙ୍କୁ ଝଟକା, ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଜାମିନ ଆବେଦନ ଖାରଜ

126

କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମୀନଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ବଡ ଝଟକା ଲାଗିଛି । ଦିଲ୍ଲୀ କୋର୍ଟ ଏହି ମାମଲାରେ ଜାମିନ ପାଇଁ ସିସୋଦିଆଙ୍କ ତରଫରୁ କରାଯାଇଥିବା ଆବେଦନକୁ କୋର୍ଟ ଶୁକ୍ରବାର ଦିନ ଖାରଜ କରିଦେଇଛନ୍ତି । ରାଓଜ ଏଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ଏମକେ ନାଗପାଲ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏବେ ରାଓଜ ଏଭିନ୍ୟୁ କୋର୍ଟଙ୍କ ରାୟ ବିରୋଧରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି ।

କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଜାମିନକୁ ବିରୋଧ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ତରଫରୁ କୁହାଯାଇଥିଲା କି ଏବେ ଯାଂଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଂଚିଛି ତେଣୁ ଏହି ସମୟରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ଯାଂଚ ଉପରେ ପ୍ରଭାବ ପଡିପାରେ ବୋଲି ଇଡି ତରଫରୁ କୁହାଯାଇଥିଲା ।

ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପ୍ରଥମେ ସିବିଆଇ ଓ ପରେ ଇଡି ଗିରଫ କରିଥିଲା । ଏବେ ଏହି ମାମଲାରେ ଯାଂଚ ଚାଲିଛି । ଅବକାରୀ ମାମଲାରେ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।