ଶେଷ ହୋଇଛି ଭୁବନେଶ୍ୱର-ଆଇଗିଣିଆରେ ଚାଲିଥିବା ଆମ୍ବ ଉତ୍ସବ: ପ୍ରଦର୍ଶିତ ହୋଇଥିଲା ୧୦୦ କିସମର ଆମ୍ବ

68

କନକ ବ୍ୟୁରୋ: ଭୁବନେଶ୍ୱର-ଆଇଗିଣିଆରେ ଥିବା କେନ୍ଦ୍ର ସରକାରଙ୍କ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରରେ ଚାଲିଥିବା ଆମ୍ବ ଉତ୍ସବ ସୋମବାର ଶେଷ ହୋଇଛି । ଏଥିରେ ୧୦୦ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ଆମ୍ବ ଉତ୍ସବକୁ ବୁଲି ଆସିିଥିଲେ ଶହ ଶହ ଦେଖଣାହାରୀ ଓ ଗ୍ରାହକ । ତୋଟାପୁରୀ, ନିଲମ, ଲାଟସୁନ୍ଦରୀ, ଆଲଫାନସୋ, ଆମ୍ରପାଲି ଭଳି ଆମ୍ବକୁ ଗ୍ରାହକ ବେଶ୍ ପସନ୍ଦ କରିଥିଲେ । ଉଦଯାପନୀ ଉତ୍ସବରେ କ୍ଷୁଦ୍ର ଶିଳ୍ପ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ । ଆମ୍ବ ଚାଷ ପାଇଁ ଚାଷୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି ମନ୍ତ୍ରୀ ମହାରଥୀ କହିଥିଲେ ।

ରାୟଗଡ଼ାରେ ଚାଷ, କଟକରେ ଯନ୍ତ୍ରବାକ୍ସ

ଉଦଯାପନୀ ସଭାରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସାମଲଙ୍କ କଥା ହିଁ ପୂର୍ବରୁ ଶେଷ ହୋଇଥିବା ଚାଷୀ କର୍ମଶାଳାରେ ପ୍ରତିଫଳିତ ହୋଇ ସାରିଥିଲା। ରାୟଗଡ଼ାର ଚାଷୀ ବାରଣାସୀ ସତ୍ୟରାଜୁଙ୍କ ସହ ବିଷମକଟକ, କାଶୀପୁର, କଳ୍ୟାଣସିଂହପୁର ବ୍ଲକର ବହୁ ଚାଷୀ ବିପଣନ ବ୍ୟବସ୍ଥା ଉପରେ ଅଭିଯୋଗ କରିଥିଲେ। ବଜାରରେ ଆମ୍ବ କିଲୋ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିଲେ ବି ସେମାନେ ବେପାରୀଙ୍କୁ ୧୫ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ମଣ୍ଡି ବ୍ୟବସ୍ଥା ବା ସରକାରୀ ବିପଣନ ବ୍ୟବସ୍ଥା ଥିଲେ, ସେମାନେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଥିଲେ। ଗଛ ଲଗାଠାରୁ ଆରମ୍ଭ କରି ଫଳ ଫଳିବା ପର୍ଯ୍ୟନ୍ତ ଉଦ୍ୟାନ ବିଭାଗ ସବୁ କରୁଛି, କିନ୍ତୁ ଚାଷୀ ଦି’ପଇସା ପାଇବାଭଳି ଅସଲବେଳରେ କିଛି କରୁନାହିଁ ବୋଲି ଗୋପି ମାଣିଆକା, ବୀଣା ମାଣିଆକା, ଡମ୍ବରୁ ହୁଇକା, କାମେଶ୍ୱର ହୁଇକା ଆଦି ଚାଷୀମାନେ ଅଭିଯୋଗ କରିଥିଲେ।

ସେହିଭଳି ରୋଗପୋକ ପରିଚାଳନା କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ସହଯୋଗ ମିଳୁନାହିଁ ବୋଲି ସେମାନେ କହିଥିଲେ। ଆମ୍ବ ଫଳମାଛି ମାରିବା ପାଇଁ ଏକ ଯନ୍ତ୍ର ବାକ୍ସ ରହିଛି। ଏହାର ବଜାର ମୂଲ୍ୟ ମାତ୍ର ୪୦ରୁ ୫୦ ଟଙ୍କା ପୁଣି ଏଥିରେ ରହୁଥିବା ଔଷଧ ସହ। କିନ୍ତୁ ଏହା ରାଜ୍ୟରେ କେବଳ କଟକରେ ମିଳୁଛି। ଫଳରେ ରାୟଗଡ଼ାର ଚାଷୀଟିଏ ୪୦ ଟଙ୍କାର ବାକ୍ସ ପାଇଁ କଟକ ଯିବା ଆସିବାରେ ୪ ଶହ ଟଙ୍କା ଖର୍ଚ୍ଚ କରିବାକୁ ଇଛା କରୁନାହିଁ। ତେଣୁ ଆମ୍ବ ବଗିଚାରେ ଫଳମାଛି ବହୁ ପାରିମାଣରେ ବଢ଼ୁଛନ୍ତି ଓ ଆମ୍ବ ପାଚିଲାବେଳକୁ ପୋକରା ହୋଇଯାଉଛି। ତେଣୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ଏହି ଯନ୍ତ୍ରବାକ୍ସଟି ଆମ୍ବ ଚାଷ ହେଉଥିବା ଜିଲ୍ଲାର ବଜାରରେ ମିଳିଲେ ଚାଷୀମାନେ ଉପକୃତ ହୁଅନ୍ତେ ବୋଲି ସେମାନେ କହିଥିଲେ। ତେବେ କୃଷି ବିଭାଗ ଏଭଳି ଯନ୍ତ୍ରକୁ ରିହାତି ଦରରରେ ନ ହେଲେ ବି ବଜାର ମୂଲ୍ୟରେ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ସେମାନେ ଦାବି କରିଥିଲେ।