ମହଙ୍ଗା ପଡିଲା ଫେସବୁକ୍ ପ୍ରେମ ! ପ୍ରତାରଣା ପରେ ବ୍ଲାକମେଲିଂ କରି ଟଙ୍କା ଲୁଟିନେଲା ପ୍ରେମିକ, ପରେ ସୋସିଆଲ ମିଡିଆରେ ଭାଇରାଲ କଲା ଅନ୍ତରଂଗ ମୁହୂର୍ତ୍ତର ଫଟୋ ।

1,242

କନକ ବ୍ୟୁରୋ : ପ୍ରେମ, ଯୌନ ସମ୍ପର୍କ, ପ୍ରତାରଣା… ପ୍ରେମ ପ୍ରତାରଣାର ଏହା ଏପରି ଏକ କାହାଣୀ, ଯାହା ହୁଏତ ‘ପ୍ରେମ’ ଶବ୍ଦ ଉପରୁ ବିଶ୍ୱାସ ହଟାଇ ଦେଇପାରେ । କୁହାଯାଏ ତ୍ୟାଗର ଅନ୍ୟନାମ ହେଉଛି ପ୍ରେମ । କିନ୍ତୁ ଯେତେବେଳେ ଏହି ପବିତ୍ର ସମ୍ପର୍କ ମିଛର ସାହାରାରେ ଆରମ୍ଭ ହୋଇଥାଏ, ସେତେବେଳେ ଏହାର ପରିଣାମ ଭୟଙ୍କର ହୋଇଥାଏ । ଠିକ ଏହିଭଳି ହିଁ କିଛି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ମହଙ୍ଗା ପଡିଲା ଫେସବୁକରେ ବନ୍ଧୁତା । ପ୍ରଥମେ ପ୍ରେମ, ପରେ ଯୌନସମ୍ପର୍କ ଏବଂ ଶେଷରେ ପ୍ରତାରଣା । କେବଳ ପ୍ରତାରଣା ନୁହେଁ, ସାମ୍ନାକୁ ଆସିଛି ବ୍ଲାକମେଲିଂ କରି ଦୁଷ୍କର୍ମ କରିବା ସହ ସୁନା ଅଳଙ୍କାର ଲୁଟିନେଇଥିବା ଭଳି ବଡ ଅଭିଯୋଗ । ଅଭିଯୋଗ ଅନୁଯାୟୀ, ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଆସି ରାଜଧାନୀ ଭୁବନେଶ୍ୱରର ଏକ ଏନଜିଓରେ କାମ କରୁଥିଲେ ଜଣେ ଯୁବତୀ । ସମୟକ୍ରମେ ଫେସବୁକରେ ଖୋର୍ଦ୍ଧାର ଭାରତ ପୁଷ୍ପରାଗ ନାମକ ଜଣେ ଯୁବକଙ୍କ ସହ ପ୍ରଥମେ ବନ୍ଧୁତା ଏବଂ ପରେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ଏହା ପରେ ବିଭିନ୍ନ ପ୍ରରୋଚନା ଦେଖାଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସିକ୍ରେଟ୍ କ୍ୟାମେରାରେ ଅଶ୍ଳୀଳ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ ।

ଅଭିଯୋଗ ଅନୁଯାୟୀ, ଏହି ଫଟୋଗୁଡିକୁ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲେ ଯୁବକ । ଏପରିକି ଫଟୋ ଭାଇରାଲ କରିଦେବାର ଧମକ ଦେଇ ଏହା ବଦଳରେ ଟଙ୍କା ମଧ୍ୟ ମାଗିଥିଲେ । ସମ୍ମାନ ବଞ୍ଚାଇବା ପାଇଁ ଯୁବତୀ ଜଣଙ୍କ ସମ୍ପୃକ୍ତ ଯୁବକଙ୍କ ଏକାଧିକ ଥର ଟଙ୍କା ଦେଇଥିବା ମଧ୍ୟ କହିଛନ୍ତି । ଯୁବକଙ୍କ ଏପରି ହୀନ ଚରିତ୍ର ବିଷୟରେ ଜାଣିବା ପରେ, ସେ ତାଙ୍କ ଠାରୁ ଦୂରେଇଯିବା ସହ ରାଜଧାନୀକୁ ଯାଇ ଗାଁରେ ରହୁଥିଲେ । ଏହା ପରେ ମଧ୍ୟ ଯୁବକ ଜଣଙ୍କ ଯୁବତୀଙ୍କୁ ବ୍ଲାକମେଲ୍ କରିବା ବନ୍ଦ କରିନଥିଲା । ଏବଂ ଫଟୋ ଭାଇରାଲ କରିଦେବାର ଧମକ ଦେଇ ଯୁବତୀଙ୍କୁ ଭୁବନେଶ୍ୱର ସହିଦନଗରର ଏକ ଲଜକୁ ଡାକିଥିଲା । ଏବଂ ସେଠାରେ ପହଞ୍ଚିବା ପରେ ବଳପୂର୍ବକ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ଏତିକିରେ ମଧ୍ୟ ସରିନଥିଲା ଯୁବକର ବ୍ଲାକମେଲିଂ । ପୁଣି ଥରେ ଟଙ୍କା ମାଗିବା ସହ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଯୁବତୀ ଜଣଙ୍କ ମନାକରିବାରୁ ଏକ ଫେକ୍ ଫେସବୁକ୍ ଆଇଡିରୁ ଉତ୍ତୋଳିତ ହୋଇଥିବା ଅଶ୍ଳୀଳ ଫଟୋକୁ ପବ୍ଲିକରେ ସେୟାର କରିଥିଲା ଯୁବକ । ଜୀବନରୁ ମାରିଦେବାକୁ ଧମକ ଦେବା ସହ ଯୁବକ ଜଣଙ୍କ ଅଶ୍ଳୀଳ ଭାଷାରେ ମେସେଜ୍ ପଠାଉଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଯୁବତୀ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରିବା ସହ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯୁବତୀ ।