ମୃତ ଶିଶୁକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡି ! ମଲା ଛୁଆକୁ କୋଳରେ ଧରି ୩ କିଲୋମିଟର ଚାଲିଚାଲି ଗଲେ ବାପା

33

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଦାନ ମାଝୀର ଚିତ୍ର । ମୃତ ଶିଶୁକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡି । ମଲା ଛୁଆକୁ କୋଳରେ ଧରି ୩ କିଲୋମିଟର ଚାଲିଚାଲି ଗଲେ ବାପା । ଏ ଦୃଶ୍ୟ ମାଲକାନଗିରି ଜିଲ୍ଲାର । ପ୍ରସବ ବେଦନା ପରେ ମାଲକାନଗିରି ସଦର ମହକୁମା ହସ୍ପିଟାଲକୁ ଆସିଥିଲେ ଲକ୍ଷ୍ମଣ ଭୂମିଆଙ୍କ ପତ୍ନୀ । ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବାବେଳେ ଆଜି ସକାଳୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଏହାପରେ ମହାପ୍ରାୟଣ ଓ ଶବ ବାହକ ଗାଡିଟିଏ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଆଶା ଦିଦିଙ୍କୁ ଅନୁରୋଧ କରିଥିଲେ ଲକ୍ଷ୍ମଣ । ହେଲେ ଅତି ସମ୍ବେଦନହୀନ ଭାବେ ଉତ୍ତର ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ ନିକଟରେ ଘର ଥିବା କହି ଗାଡି ଦେବାକୁ ମନା କରିଦେଇଥିଲା ହସ୍ପିଟାଲ । ତେବେ ପୁଅର ମୃତଦେହକୁ ଘରକୁ ନେବାପାଇଁ ଏକ ଅଟୋବାଲାକୁ ଅନୁରୋଧ କରିଥିଲେ ଏହି ଦମ୍ପତି । ପ୍ରଥମେ ୫୦ ଟଙ୍କା ଭଡା ଦାବି କରୁଥିବା ଅଟୋବାଲା, ଛୁଆଟି ମୃତ ବୋଲି ଜାଣିବା ପରେ ୫୦୦ ଟଙ୍କା ଦାବିକଲା । ଆଉ ନିରୂପାୟ ହୋଇ ଏହି ଗରିବ ଦମ୍ପତି ନିଜ ମଲା ଛୁଆକୁ କୋଳରେ କାଖେଇ ୩ କିଲୋମିଟର ବାଟ ଚାଲିଚାଲି ଘରକୁ ଫେରିଥିଲେ । ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି ମାଲକାନଗିରି ସିଡିଏମଓ ।