କଟକ ସପିଂ ମଲ୍ ଅଗ୍ନିକାଣ୍ଡର ଆଜି ସରଜମିନ ତଦନ୍ତ ! ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବେ ଅଗ୍ନିଶମ ବିଭାଗର ୩ ଜଣିଆ ଟିମ୍

40

କନକ ବ୍ୟୁରୋ : କଟକରେ ସପିଂ ମଲ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବ ଅଗ୍ନିଶମ ବିଭାଗର ଏକ ତିନି ଜଣିଆ ଟିମ୍ । ଆଜି ଘଟଣାସ୍ଥଳକୁ ଯାଇ ପୁରା ଘଟଣା ଅନୁଧ୍ୟାନ କରିବ । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଅଗ୍ନିଶମ ଅଧିକାରୀ ଶୁକାନ୍ତ ସେଠୀ ।

ଗତକାଲି ଅଚାନକ୍ ସହର ମଝିରେ ସାତ ଘଂଟା ଜଳିଗଲା ସିଟି ଷ୍ଟାଇଲ ସପିଂ ମଲ । ଆଉ ସୌଭାଗ୍ୟର କଥା ହେଉଛି, ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛନ୍ତି ଗ୍ରାହକ । କଟକର ଜନଗହଳିପୂର୍ଣ୍ଣ ବାଦାମବାଡିରେ ହୁ ହୁ ହୋଇ ଜଳିଗଲା ‘ସିଟି ଷ୍ଟାଇଲ୍ ମଲ୍’ । ୮ଟି ଦମକଳ ଗାଡି ଓ ଶତାଧିକ ଅଗ୍ନିଶମ କର୍ମଚାରୀ ଅପ୍ରାଣ ଉଦ୍ୟମ କରି ନିଆଁକୁ ଆୟତ କରିଥିଲେ ।

ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ସପିଂ ମଲର ନିଆଁ ଆଖପାଖର ୫ଟି ଦୋକାନକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରାଫିକ ଜାମ ହେବାରୁ ଯାତ୍ରୀ ହଇରାଣ ହୋଇଥିଲେ । ଜଳି ଯାଇଥିବା ସପିଂ ମଲର ଫାୟାର ସେଫ୍ଟି ନଥିଲା । ଏଥିପାଇଁ ଦୁଇ ମାସ ତଳୁ ସମ୍ପୃକ୍ତ ମଲକୁ ନୋଟିସ କରାଯାଇଥିଲା ବୋଲି କହିଛନ୍ତି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ।