ତେଜୁଛି ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ । ବନ୍ଦ ହେଲା ଦୁଇ ରାଜ୍ୟରୁ ବସ ଚଳାଚଳ । ଗାଁ ଉପରେ ଅଧିକାର ନେଇ ମୁହାଁମୁୁହିଁ ଦୁଇ ରାଜ୍ୟ

218

କନକ ବ୍ୟୁରୋ: ବଢୁଛି ମହାରାଷ୍ଟ୍ର କର୍ଣ୍ଣାଟକ ସୀମା ବିବାଦ । କର୍ଣ୍ଣାଟକକୁ ବସ୍ ସେବା ବନ୍ଦ କଲା ମହାରାଷ୍ଟ୍ର । ଦୀର୍ଘଦିନ ଧରି ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ଥମିବାର ନାଁ ଧରୁନି । ବରଂ ଏହା ଦିନକୁ ଦିନ ଉଗ୍ର ରୂପ ନେବାରରେ ଲାଗିଛି ।

ବେଲଗାମରେ କର୍ଣ୍ଣାଟକ ରକ୍ଷଣ ବୈଦିକ ନାମକ ଏକ ସଙ୍ଗଠନ ବିରୋଧ ପ୍ରଦର୍ଶନ କରିବା ପରେ ମହାରାଷ୍ଟ୍ରର କିଛି ଟ୍ରକକୁ ଅଟକାଇ ତା ଉପରେ କାଳି ପକାଇଛନ୍ତି । ଏହା ସହ ଏକ ଟ୍ରକ ଉପରେ ପଥର ମଧ୍ୟ ପକାଇଛନ୍ତି । ଫଳରେ କର୍ଣ୍ଣର୍ାଟକକୁ ବସସେବା ବନ୍ଦ କରିଛି ମହାରାଷ୍ଟ୍ର । ତେବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି । ମହାରାଷ୍ଟ୍ରର କିଛି ଗାଁକୁ କର୍ଣ୍ଣାଟକ ନିଜର ବୋଲି ଦାବି କରିଛି । ଏହାକୁ ନେଇ ଦେଖାଦେଇଛି ଘୋର ବିରୋଧ ।

ଅନ୍ୟପଟେ ମହାରାଷ୍ଟ୍ର ଲଗାତର ଦାବି କରିଛି କି, ୧୯୬୦ ଦଶକରେ ରାଜ୍ୟରେ ଭାଷା ଆଧାରିତ ପୁର୍ନଗଠନରେ ମରାଠୀ ବହୁଳ କ୍ଷେତ୍ର, କନ୍ନଡ଼ ବହୁଳ କର୍ଣ୍ଣାଟକକୁ ଭୁଲ ଭାବରେ ଦିଆଯାଇଥିଲା ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସୀମା ବିବାଦକୁ ନେଇ ମଙ୍ଗଳବାର ମହାରାଷ୍ଟ୍ର ମୁଖମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଛନ୍ତି । ରାଜ୍ୟରେ ଶାନ୍ତି ଏବଂ କାନୁନ ବ୍ୟବସ୍ଥା ବଜାୟ ରହିବା ନେଇ ଦୁଇଜଣ ସହମତି ପ୍ରକାଶ କରିଛନ୍ତି । ଏବଂ ଆଇନ ଅନୁଯାୟୀ ଲଢ଼େଇ ସୁପ୍ରିମକୋର୍ଟ ଜାରି ରହିବ ବୋଲି ଦୁହେଁ କଥା ହୋଇଛନ୍ତି । ଅନ୍ୟପଟେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସୀମା ବିବାଦକୁ ନେଇ ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ସଂଜୟ ରାଉତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୀମାରେ ହିଂସା ଦିଲ୍ଲୀ ସମର୍ଥନ ବିନା ସମ୍ଭବ ନୁହେଁ ବୋଲି ସଂଜୟ ରାଉତ କହିଛନ୍ତି ।