ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ଜବତ ହୋଇଥିବା ଟଙ୍କାକୁ ନେଇ ପାର୍ଥ ଚାଟାର୍ଜୀଙ୍କର ବଡ ଖୁଲାସା। ଜାଣନ୍ତୁ ଟଙ୍କାକୁ ନେଇ କଣ କହିଲେ ପାର୍ଥ

304

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ଦୈନିକ ନୂଅ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ଗିରଫ ହୋଇଥିବା ମମତା ସରକାରରେ ମନ୍ତ୍ରୀଥିବା ପାର୍ଥ ଚାଟାର୍ଜୀ କହିଛନ୍ତି କି ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ସହ ତାଙ୍କର କୌଣସି ସଂପର୍କ ନାହିଁ ।

ଇଏସଆଇ ହସ୍ପିଟାଲରେ ଚିକିତ୍ସା ପାଇଁ ପାର୍ଥଙ୍କୁ ଇଡି ନେଇଯାଉଥିବା ବେଳେ କିଛି ଗଣମାଧ୍ୟମ ଏନେଇ ପାର୍ଥଙ୍କୁ ପ୍ରଶ୍ନ ପଚାରି ଥିଲେ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ପାର୍ଥ କହିଥିଲେ କି ଏହା ତାଙ୍କ ବରୋଧରେ ଏକ ଷଡଯନ୍ତ୍ର । ସମୟ ଆସିଲେ ସେ ସମସ୍ତ ଘଟଣାର ପର୍ଦ୍ଦାଫାସ କରିବେ ବୋଲି କହିଛନ୍ତି । ମିଳିଥିବା ଟଙ୍କା ବାବଦରେ ପ୍ରଶ୍ନ ପଚରାଯିବାରୁ ଏହି ଟଙ୍କା ତାଙ୍କର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହା ପୂର୍ବରୁ ଇଡି ଯେତେବେଳେ ପାର୍ଥ ଚାଟାର୍ଜୀଙ୍କୁ ଜେରା କରୁଥିଲା ସେତେବେଳେ ପାର୍ଥ କହିଥିଲେ କି ଶିକ୍ଷକ ନିଯୁକ୍ତି ମାମଲାରେ କୌଣସି ଦୁର୍ନୀତି ହୋଇନାହିଁ କି ସେ କାହାକୁ ନିଯୁକ୍ତି ଦେବା ବାବଦରେ ଲାଂଚ ନେଇ ନାହାଁନ୍ତି । ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରୁଥିଲେ ଓ କୌଣସି ଦୁର୍ନୀତି ସହ ତାଙ୍କର ସଂପର୍କ ଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

କହିରଖୁ କି ପାର୍ଥ ଚାଟାର୍ଜୀ ୨୦ ବର୍ଷରୁ ଅଧିକ ହେବ ତୃଣମୂଳ କଂଗ୍ରେସ ଟିକେଟରୁ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ୭୦ ବର୍ଷ ବୟସରେ ସେ ଅନ୍ୟମାନଙ୍କ ଷଡଯନ୍ତ୍ରରେ ଶିକାର ହୋଇ ଯେଭଳି ଅପମାନ ଓ ଯନ୍ତ୍ରଣା ଭୋଗୁଛନ୍ତି ତାହା ମୃତ୍ୟୁ ସହ ସମାନ ବୋଲି ସେ କହିଛନ୍ତି ।