ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ଗଙ୍ଗାଜଳ ରାଜନୀତି । ୧୦ ହଜାର ପରିବାରକୁ ଗଙ୍ଗାଜଳ ବାଣ୍ଟିବ କଂଗ୍ରେସ, ଜାଣନ୍ତୁ କାରଣ

202

କନକ ବ୍ୟୁରୋ : ନିର୍ବାଚନ ଆସିଲେ ରାଜନୈତିକଦଳମାନଙ୍କର କେତେ ରୂପ କେତେ ରଙ୍ଗ ଦେଖିବାକୁ ମିଳିଥାଏ । କେବେ ଜୟ ଶ୍ରୀରାମ ତ କେବେ ବଜରଙ୍ଗବଲୀ । ହେଲେ ୨୦୧୪ ଲୋକସଭା ନିର୍ବାଚନ ବେଳେ ଗଙ୍ଗା ସଫେଇକୁ ବିଜେପି ଏକ ପ୍ରସଙ୍ଗ କରିଥିବା ବେଳେ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଗଙ୍ଗାଜଳର ସାହାରା ନେଇଛି କଂଗ୍ରେସ ପାର୍ଟି । ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟର ୧୦ ହଜାର ପରିବାରକୁ ବୋତଲରେ ଗଙ୍ଗାଜଳ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଏହା ଇନ୍ଦୋର ସହରରେ ବଣ୍ଟାଯିବ ଓ ପରେ ଏହାକୁ ପୂରା ରାଜ୍ୟରେ ବିତରଣ କରାଯିବ । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଗଙ୍ଗାଜଣ ବାଣ୍ଟିବା ପଛରେ କଂଗ୍ରେସର କ’ଣ ଉର୍ଦ୍ଦେଶ୍ୟ ରହିଛି । ଗଙ୍ଗାଜଳ ବୋତଲ ସହିତ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ୧୧ ଟି ପ୍ରତିଶ୍ରୁତି ଉଲ୍ଲେଖ ଥିବା ପେପର ବି ବାଣ୍ଟିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

କମଲନାଥଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ୧୧ ଟି ପ୍ରତିଶ୍ରୁତି ମଧ୍ୟରେ ରହିଛି ମହିଳାଙ୍କୁ ମାସିକ ୧୫୦୦ଟଙ୍କା ସହାୟତା, ୫୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି,୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଅଧା , କୃଷକଙ୍କୁ ଋଣ ଛାଡ, ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ, କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ, ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ, ରାଜ୍ୟରେ ଜାତିଗତ ଜନଗଣନା ଓ କୃଷକ ଆନ୍ଦୋଳନ ବେଳେ କୃଷକଙ୍କ ଉପରେ ହୋଇଥିବା ମାମଲାର ପ୍ରତ୍ୟାହାର ।

ସେପଟେ କଂଗ୍ରେସର ଗଙ୍ଗାଜଳ ବଣ୍ଟନ କଥା ଶୁଣିବା ପରେ ବିଜେପି ଛାତିରେ ଛନକା ପଶିଛି । ବିଜେପି ଆଶା କରୁଛି କି, କଂଗ୍ରେସ ଗଙ୍ଗାଜଳ ବାଣ୍ଟିବା ବାହାନାରେ ଭୋଟରଙ୍କୁ ଗଙ୍ଗାମାତାଙ୍କ ନାମରେ ନିୟମ କରାଇଦେବ ।