୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ । ଜାଣନ୍ତୁ କେଉଁ ପାର୍ଟି ଓ କେଉଁ ଆସନରୁ ଲଢିବା ନେଇ ଚାଲିଛି ଚର୍ଚ୍ଚା

10,079

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଆହ୍ଲାବାଦ ସଂସଦୀୟ କ୍ଷେତ୍ର ଚର୍ଚ୍ଚାକୁ ଆସିପାରେ । କାରଣ ସମାଜବାଦୀ ପାର୍ଟି ତରଫରୁ ଏହି ଆସନରୁ ଅଭିଷେକ ବଚ୍ଚନଙ୍କ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ପାର୍ଟିର ନେତାଙ୍କ ଦ୍ୱାରା ଆହ୍ଲାବାଦ ସଂସଦୀୟ କ୍ଷେତ୍ରର ଭୋଟରଙ୍କ ଠାରୁ ମତାମତ ଗ୍ରହଣ କରାଯାଉଛି । ଅନୁମାନ କରାଯାଉଛି କି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁମ୍ବାଇ ଆସି ଅମିତାଭ ବଚ୍ଚନ ଓ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ସହ ଆଲୋଚନା କରିପାରନ୍ତି ।

ସେପଟେ ଯଦି ଏହି ଆସନରୁ ଅଭିଷେକ ବଚ୍ଚନ ନିର୍ବାଚନ ଲଢିବାକୁ ରାଜି ହୁଅନ୍ତି ତେବେ ଲଢେଇ ଜୋରଦାର ହେବ ।  ପ୍ରଥମତଃ ଅମିତାଭ ବଚ୍ଚନଙ୍କର ଏହି ସଂସଦୀୟ କ୍ଷେତ୍ର ସହ ଭଲ ସଂପର୍କ ରହିଛି । ଏହାସହ ଅଭିଷେକ ଯଦି ପ୍ରାର୍ଥୀ ହ୍ରୁଅନ୍ତି ତେବେ ଅମିତାଭ ବଚ୍ଚନ ପ୍ରଚାର କରିବେ । ସେପଟେ ଜୟା ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟା ରାୟ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବା ନିଶ୍ଚିନ୍ତ ।

ସୂଚନା ଥାଉକି ୧୯୮୪ ମସିହାରେ କଂଗ୍ରେସ ଟିକେଟରୁ ଅମିତାଭ ବଚ୍ଚନ ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାକୁ ପରାଜିତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଅମିତାଭ ବଚ୍ଚନଙ୍କୁ ୬୮ ପ୍ରତିଶତ ଭୋଟ ମିଳିଥିବା ବେଳେ ବହୁଗୁଣାଙ୍କୁ ମାତ୍ର ୨୫ ପ୍ରତିଶତ ଭୋଟ ମିଳିଥିଲା ।

ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଯଦି ରୀତା ବହୁଗୁଣାଙ୍କୁ ଟିକେଟ ଦିଏ ତେବେ ପୁଣି ଲଢେଇ ବଚ୍ଚନ ପରିବାର ସହ ହୋଇପାରେ । କାରଣ ରୀତା ବହୁଗୁଣା ଜୋଷୀ ହେଉଛନ୍ତି ହେମବତୀ ନନ୍ଦନ ବହୁଗୁଣାଙ୍କ କନ୍ୟା ।