ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ବୃଦ୍ଧି : ଅଡିଟ ପାଇଁ ସମସ୍ତ ସିଡିଏମଓଙ୍କୁ ଚିଠି

322

କନକ ବ୍ୟୁରୋ : ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି । ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ ।  ଅଡ଼ିଟ ପାଇଁ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଲା ପରିବାର କଲ୍ୟାଣ ବିଭାଗ  । କ୍ରାଇଟେରିଆକୁ ମାନି ଘରୋଇ ହସ୍ପିଟାଲ ଗୁଡିକ ସିଜରିଆନ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ତାହାର ଅଡ଼ିଟ କରାଯିବ । ଆସନ୍ତା ମେ ୧ ତାରିଖରୁ ମାସରୁ ଏହି ଅଡ଼ିଟ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁ ଘରୋଇ ହସ୍ପିଟାଲ ସିଜରିଆନ ଡେଲିଭରି କରୁଛନ୍ତି କାହିଁକି କରୁଛନ୍ତି ସେ ନେଇ ଏଡ଼ିଏମଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ । ଅଡ଼ିଟ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ସେମାନଙ୍କ କଥା ବିଚାର କରାଯିବ ବୋଲି କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ରିପୋର୍ଟ ଅନୁଯାୟୀ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ସିଜରିଆନ ଡେଲିଭରି ୭୦.୭ ପ୍ରତିଶତ ରହିଛି । ଏହି କ୍ରମରେ ଜାତୀୟ ହାର ରହିଛି ୪୭.୪ ପ୍ରତିଶତ । ୨୦୧୫-୧୬ ରେ ଓଡ଼ିଶାର ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ପ୍ରତିଶତ ଥିଲା ୫୩.୭ ପ୍ରତିଶତ । ଗତ କିଛି ବର୍ଷ ହେବ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ବଢୁଛି । ସରକାରୀ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ରହିଛି ୧୫.୬ ପ୍ରତିଶତ । ଜାତୀୟ ସ୍ତରରେ ଏହି ସଂଖ୍ୟା ରହିଛି ୧୫.୫ ପ୍ରତିଶତ । ମୋଟାମୋଟି ସରକାରୀ ଓ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ୨୧.୫ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ୨୧.୬ ପ୍ରତିଶତ ରହିଛି । ନିୟମ ଅନୁଯାୟୀ ୮୫ ରୁ ୯୦ ପ୍ରତିଶତ ନର୍ମାଲ ଡେଲିଭରି ହେବା କଥା ।