ପ୍ରେମ ବ୍ୟାପାର ସନ୍ଦେହ : ହ୍ୱାଟ୍ସଆପରେ ଷ୍ଟାଟସ ଦେଲେ … ଆତ୍ମହତ୍ୟା କଲେ ଯୁବକ

254

କନକ ବ୍ୟୁରୋ : ହ୍ୱାଟସଅପରେ ଷ୍ଟାଟସଦେଇ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ଦେଖିବାକୁ ମିଳିଛି । ପ୍ରେମରେ ଧୋକା ମିଳିବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ ଦେଖି ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ହେଲେ ଧର୍ମଗଡ଼ ଥାନା ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ । ଆତ୍ମହତ୍ୟା କରିବା ପୂର୍ବରୁ ନିଜ ହ୍ୱାଟ୍ସ ଆପ୍ ଷ୍ଟାଟସ୍ରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା କହିଛନ୍ତି ।

କେବଳ ସେତିକି ନୁହେଁ ନିଜ ହାତ କାଟି ସେହି ଯୁବତୀଙ୍କ ନାଁ ମଧ୍ୟ ଲେଖିଥିବା ହ୍ୱାଟ୍ଆପ୍ ଷ୍ଟାଟସରେ ଏକ ଫଟୋରେ ଦେଖିବାକୁ ମିଳିଛି । ଏଭଳି କିଛି ଷ୍ଟାଟସ୍ ଦେବା ପରେ ନିଜ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ କୋକସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡ଼ାକ୍ତରଖାନାକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ମୃତ ଯୁବକଙ୍କ ଷ୍ଟାଟସ୍ ଭାଇରାଲ୍ ହେଉଥିବାରୁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।