ପଂଚଭୂତରେ ଲୀନ ହେଲା ସହିଦ ପ୍ରସନ୍ନ ସାହୁଙ୍କ ମର ଶରୀର । ପୈତୃକ ଗାଁ ଜଗତସିଂହପୁର ପାରିଶିଖରରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ଶେଷ 

ସେପଟେ କଟକ ନିଆଳି ରତନପୁରରେ ସହିଦ ମନୋଜ ବେହେରାଙ୍କ ଶେଷ କୃତ୍ୟ ସମ୍ପନ୍ନ

118

କନକ ବ୍ୟୁରୋ: ଜନ୍ମମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ । କଟକ ଜିଲ୍ଲା ନିଆଳି ଥାନା ରତନପୁର ଗାଁରେ ସହିଦ ଯବାନ ମନୋଜ ବେହେରାଙ୍କ ମରଶରୀରକୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଯବାନଙ୍କୁ ସିଆରପିଏଫ ଓ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ମନୋଜଙ୍କ ସାନ ଭାଇ ମୁଖାଗ୍ନୀ ଦେବା ସହ ଏହି ଅମର ଯବାନଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସହିଦ ଯବାନ ମନୋଜ ବେହେରାଙ୍କୁ ଶେଷ ବିଦାୟ ଦେବାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା ।  ଜାତୀୟ ପତାକାରେ ଆଛାଦିତ ସହିଦ ଯବାନଙ୍କ ଜନ୍ମମାଟିରେ ଶେଷ ଦର୍ଶନ ପାଇଁ ଏହି ଭିଡ ଜମିଥିଲା । ଦେଶ ପାଇଁ ଜୀବନ ଦେଇଥିବା ବୀର ଓଡିଆ ପୁଅ ପ୍ରସନ୍ନ ସାହୁଙ୍କ ମରଶରୀର ଜନ୍ମମାଟି ଜଗତସିଂହପୁରର ପାରିଶିଖର ଗାଁରେ ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ ସଂପନ୍ନ ହୋଇଛି ।  ପ୍ରସନ୍ନଙ୍କ ପୁଅ ମୁଖାଗ୍ନୀ ଦେବା ପରେ ଜୁଇରେ ଜଳିଯାଇଥିଲା ଏହି ସହିଦଙ୍କ ମର ଶରୀର । କିନ୍ତୁ ଲୋକଙ୍କ ମନ ଭିତରେ ଅମର ହୋଇଯାଇଛନ୍ତି ଏହି ବୀର ଯବାନ । ଭୁବନେଶ୍ୱର ବିମାନବନ୍ଦରରୁ ଜନ୍ମମାଟି ପାରିଶିଖର ଗାଁ ଯାଏଁ ବିଶାଳ ଜନସମୁଦ୍ର ତାଙ୍କ ମରଶରୀର ଶୋଭାଯାତ୍ରାରେ ସାମିଲ ହୋଇଥିଲା । ଏହା ସହ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।

 

ସହିଦ ଦୁଇ ଯବାନଙ୍କ ପାଇଁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ସେମାନଙ୍କ ପିଲାଙ୍କ ପାଠପଢା ଖର୍ଚ ବହନ କରିବେ ରାଜ୍ୟ ସରକାର । କେବଳ ସେତିକି ନୁହେଁ ଯବାନଙ୍କ ଦେଶପ୍ରେମର ସ୍ମୃତି ଉଦ୍ଦେଶ୍ୟରେ ନିଜ ଅଂଚଳର ସ୍କୁଲର ନାଁ, ସହିଦ ଯବାନଙ୍କ ନାଁରେ ରଖାଯିବ । ସହିଦ ଯବାନଙ୍କ ଗାଁକୁ ଆଦର୍ଶ ପଂଚାୟତରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେପଟେ ଓଡିଶା ଆଇପିଏସ୍ ସଂଘ, ସହିଦ ଯବାନଙ୍କ ପାଇଁ ଗୋଟିଏ ଦିନର ଦରମା ଦେବାକୁ ନିଷ୍ପତି ନେଇଛି । ସଂଘର ସଭାପତି ସତ୍ୟଜିତ ମହାନ୍ତି ଏହି ସୂଚନା ଦେଇଛନ୍ତି ।