ନିଜ ହାତରେ ଇଞ୍ଜେକ୍ସନ ନେଇ ଜୀବନ ହାରିଲେ ଡାକ୍ତର ! ସ୍ପଷ୍ଟ ହେଉନାହିଁ ସୁଇସାଇଡ୍ ପଛର ସସପେନ୍ସ

30

କନକ ବ୍ୟୁରୋ : ମଣିଷକୁ ବଂଚାଇବା ପାଇଁ ଚିକିତ୍ସା କରୁଥିବା ଏହି ଡାକ୍ତର ନିଜ ବଂଚିବା ବାଟକୁ ବନ୍ଦ କରି ଦେଇଛନ୍ତି । ନିଜ ହାତରେ ନିଜେ ଇଂଜେକ୍ସନ ନେଇ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ବୁର୍ଲା ଫାର୍ମାକୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସସ୍ମିତା ବିଶ୍ୱାଳ । ଏହି ୪୫ ବର୍ଷୀୟ ଡାକ୍ତର କଟକର ପଂଚମୁଖୀ ମନ୍ଦିରର ଏକ ନିଛାଟିଆ ବାରଣ୍ଡାରେ ନିଜ ହାତରେ ନିଜେ ଇଂଜେକ୍ସନ ନେଇଗଲେ । ପାଖରେ ଥିବା ଔଷଧ ଖୋଳ କହୁଛି ଭେକ୍ୟୁଭୋନିୟକ ନାମକ ଏକ ଇଂଜେକ୍ସନର ୩ଟି ଯାକ ଫାଇଲ ଏକା ସାଙ୍ଗରେ ନେଇଛନ୍ତି ।

ମୃତ ସୁସ୍ମିତାଙ୍କ ସ୍ୱାମୀ ନିହାର ରଂଜନ ମହାନ୍ତି ଭୁବନେଶ୍ୱରରେ ଓପିଟିସିଏଲ ଏଜିମ ଭାବେ କାମ କରନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ସୁସ୍ମିତା ବୁର୍ଲାରୁ କଟକ ବଡ଼ ଡାକ୍ତରଖାନାକୁ ଟ୍ରାନ୍ସଫର ହୋଇ ଆସିବାକୁ ଚାହୁଁଥିଲେ । କିନ୍ତୁ ତାହା ହୋଇପାରିନଥିଲା । ପରିବାର ଲୋକଙ୍କ କହିବା ଅନୁସାରେ ସସ୍ମିତାଙ୍କ ବାପା ମଧ୍ୟ ନିଶ୍ଚେତକ ବିଭାଗର ପ୍ରଫେସର ଥିବା ସମୟରେ ଆତ୍ମହତ୍ୟା କରିଥିଲେ । ସୂଚନା ଅନୁସାରେ ତାଙ୍କ ମା ମଧ୍ୟ ଆତ୍ମହତ୍ୟା କରି ନିଜ ଜୀବନ ନେଇଯାଇଥିଲେ । ସେହିପରି ଗତ ଜାନୁୟାରୀ ମାସରେ ସସ୍ମିତାଙ୍କ ବଡ଼ପୁଅ ମହାନଦୀରେ ବୁଡ଼ି ପ୍ରାଣ ହରାଇବାପରେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ।