କାହାଣୀ ଶାରୀରିକ ଅକ୍ଷମତା ବନାମ ଦୃଢ଼ ମନୋବଳର । ଚାଷ କରି ନିଜ ଗୋଡରେ ଛିଡା ହୋଇଛନ୍ତି କେନ୍ଦୁଝରର ଭିନ୍ନକ୍ଷମ ଦମ୍ପତି

65

କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସକ୍ଷମ । ଚାଷ କରି ନିଜ ଗୋଡରେ ଛିଡା ହୋଇପାରିଛନ୍ତି ଦିବ୍ୟାଙ୍ଗ ଦମ୍ପତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ରଇବୁ ମହାନ୍ତ । ଛୋଟବେଳୁ ପୋଲିଓ ଦ୍ୱାରା ଆକ୍ରାନ୍ତ, ପତ୍ନୀ ଭାନୁମତୀ ବି ଆଂଶିକ ଭିନ୍ନକ୍ଷମ । ହେଲେ ଶାରୀରିକ ପ୍ରତିକୁଳତା ସାମ୍ନାରେ ହାର ମାନି ନାହାଁନ୍ତି ଦୁହେଁ । ପରିବା ଚାଷ କରି ଦୁଇପଇସା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

କାହାଣୀ ଶାରୀରିକ ଅକ୍ଷମତା ବନାମ ଦୃଢ଼ ମନୋବଳର । କଥା ଜୀବନ ପ୍ରତି ସମ୍ମାନବୋଧର । ଏ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଧନୁର୍ଜୟପୁର ଗ୍ରାମର କର୍ମବୀର ରଇବୁ ମହାନ୍ତ । ପିଲାବେଳେ ପୋଲିଓରେ ଆକ୍ରାନ୍ତ ହୋଇ ଦୁଇ ଗୋଡ ଅଚଳ, ହେଲେ ମନୋବଳକୁ ଭାଂଗିପାରିନାହିଁ ଶାରୀରିକ ଅକ୍ଷମତା । କେବଳ ସେତିକି ନୁହେଁ ପତ୍ନୀ ଭାନୁମତି ବି ଛୋଟବେଳୁ ପୋଲିଓରେ ଆକ୍ରାନ୍ତ । ତେବେ ଦିବ୍ୟାଙ୍ଗ ହେବା ସେମାନଙ୍କୁ •ରିକାନ୍ଥ ଭିତରେ ବାନ୍ଧି ରଖିପାରି ନାହିଁ । ପର ଆଗରେ ହାତପତାଇ ବଂଚିବା ଅପେକ୍ଷା ନିଜଗୋଡରେ ନିଜେ ଠିଆ ହେବାକୁ ଚେଷ୍ଟା ଜାରି ରଖିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ । ନିଜ ଚାଷ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଲଗାଇ ସମ୍ମାନର ସହ ଜୀବନ ବଂଚୁଛନ୍ତି ଏହି ଦମ୍ପତି ।

ଚାଷ କରି ଗୁଜୁରାଣ ମେଂଟାଇବାଠାରୁ ଆରମ୍ଭ କରି ଦୁଇ ଝିଅଙ୍କ ବାହାଘର ପର୍ଯ୍ୟନ୍ତ ସବୁକିଛି ନିଜ ପରିଶ୍ରମରୁ କରିଛନ୍ତି ରଇବୁ ଓ ତାଙ୍କ ସ୍ତ୍ରୀ । ତେବେ ଜୀବନ ଜଂଜାଳର ଜଟିଳତା ଭିତରେ ବୋଝ ସାଜିନି ଶାରୀରିକ ଭିନ୍ନତା । ବର୍ଷ ବର୍ଷ ଧରି ନିଜ •ଷ ଜମିରେ ବିଭିନ୍ନ କିସମର ପନିପରିବା ଫଳାଇବା ସହ ସେ ସବୁକୁ ବିକ୍ରବଟା କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି କେନ୍ଦୁଝରର ଏହି ଦିବ୍ୟାଙ୍ଗ ଦମ୍ପତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜମିରେ ପାଣି ମଡ଼ାଇବା ପାଇଁ ନିଜସ୍ୱ କୌଶଳ ବ୍ୟବହାର କରନ୍ତି ରଇବୁ ।

ସଂଘର୍ଷର ଅନ୍ୟ ନାଁ ହେଉଛି ଜୀବନ । ତେବେ ରଇବୁ ଓ ଭାନୁମତୀଙ୍କ ଜୀବନ କେବଳ ସଂଘର୍ଷମୟ କାହାଣୀ ନୁହେଁ ବରଂ ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ । ଯେଉଁଠାରେ ଜୀବନ ପ୍ରତି ଯେତେ ଭଲପାଇବା ଅଛି, ଠିକ ସେତିକି ଅଛି ଅଭିଶାପକୁ ଆଶୀର୍ବାଦରେ ପରିଣତ କରିବାର ଅଦମ୍ୟ ଇଚ୍ଛା ।