ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳଙ୍କ ବଡ ନିଷ୍ପତ୍ତି , ଏବେ କେବଳ ଜିଲ୍ଲା ମୁଖ୍ୟାଳୟରେ ନିଯୁକ୍ତି ପାଇବେ ହିନ୍ଦୁ କର୍ମଚାରୀ

119

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ କିଛିଦିନ ହେବ କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ଏହାକୁ ନଜରରେ ରଖି ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଉପ ରାଜ୍ୟପାଳଙ୍କ ନିଷ୍ପତ୍ତି ମୁତାବକ ଏହି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାକିରି କରୁଥିବା ହିନ୍ଦୁ କର୍ମଚାରୀମାନଙ୍କୁ ଏବେ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବ । ଏନେଇ ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ତୁରନ୍ତ କିଭଳି ହିନ୍ଦୁ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଟ୍ରାନ୍ସଫର କରାଯାଇ ପାରିବ ତାହା ଉପରେ ବିଚାର ବିମର୍ଷ କରିଛନ୍ତି ।

ଏହି ବୈଠକ ପରେ ସମସ୍ତ ହିନ୍ଦୁ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଇଛି କି ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟଙ୍କୁ ଟ୍ରାନ୍ସଫର କରାଯିବ । ଏହାସହ ସେହି କର୍ମଚାରୀଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇ ଦେବାର ଦାୟୀତ୍ୱ ସ୍ଥାନୀୟ ପ୍ରଶାସନକୁ ଦିଆଯିବ ।

କହିରଖୁ କି କିଛିଦିନ ହେବ କାଶ୍ମୀରରେ କେବଳ ହିନ୍ଦୁଧର୍ମର ଲୋକମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଉଛି । ସରକାରୀ ଅଧିକାରୀ ରାହୁଲ ଭଟ୍ଟଙ୍କ ଠାରୁ ଆରମ୍ଭ ହୋଇଥିବା ହତ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଘାଟିରେ କାଶ୍ମୀର ପଣ୍ଡିତମାନେ ବାରମ୍ବାର ବିରୋଧ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏସବୁକୁ ନଜରରେ ରଖି ପ୍ରଶାସନ କାଶ୍ମୀରରେ କାମ କରୁଥିବା ସରକାରୀ ହିନ୍ଦୁ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ନେଇ ଆସିବାକୁ ନିଷ୍ପତ୍ତି ନେଇଛି ।

ହେଲେ ଉପ ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତିରେ ସନ୍ତୋଷ୍ଟ ନାହାଁନ୍ତି ସରକାରୀ ହିନ୍ଦୁ କର୍ମଚାରୀମାନେ । ସେମାନେ ଦାବି କରିଛନ୍ତି କି ସେମାନଙ୍କୁ କେବଳ ଜମ୍ମୁ ଟ୍ରାନ୍ସଫର କରାଯାଉ । ସେମାନେ ଘାଟିରେ କାମ କରିବାକୁ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।