ମକର ସଂକ୍ରାନ୍ତିରେ ଭିଡ଼ ଏଡ଼ାଇବାକୁ ଘଟଗାଁରେ ସାଧାରଣ ଦର୍ଶନ ମନା । କାଳିଜାଇ ପୀଠ ବି ବନ୍ଦ, ଅଟ୍ରିରେ ହୋଇପାରିବନି ମକର ମେଳା

170

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଲେ ପ୍ରଶାସନ । ମକର ଉତ୍ସବରେ ଭକ୍ତଙ୍କ ଗହଳିକୁ ନଜରରେ ରଖି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇ ପୀଠକୁ ବନ୍ଦ ଘୋଷଣା କରାଯାଇଛି । ପର୍ଯ୍ୟଟକ ମାନଙ୍କୁ ନେଇ ପିକନିକ ନଯିବା ପାଇଁ ଡ଼ଙ୍ଗା ଚାଳକଙ୍କୁ କୃଷ୍ଣପ୍ରସାଦ ଥାନା ଓ ତହସିଲଦାରଙ୍କ ପକ୍ଷରୁ ବାରଣ କରାଯାଇଛି । ସେପଟେ ଚଳିତ ବର୍ଷ ବନ୍ଦ ହୋଇଛି ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରି ମକର ମେଳା । ମାନସିକ କୁଣ୍ଡରେ ଗୁଆ ଖୋଜାକୁ ବାରଣ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସବଡିଭିଜନର ସମସ୍ତ ଦେବାଳୟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଏହାପୂର୍ବରୁ ଆସନ୍ତାକାଲି ଘଟଗାଁ ମା’ ତାରିଣୀ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ଭିତରେ ଏବେ ବିନା ଭୋଗରେ ଭକ୍ତଙ୍କ ଦର୍ଶନ ଜାରି ରହିଛି । ଆସନ୍ତାକାଲି ମକର ସଂକ୍ରାନ୍ତି ପଡ଼ୁଥିବାରୁ ଦୂରଦୁରାନ୍ତରୁ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିବା ସମ୍ଭାବନା ରହିଛି । ଭକ୍ତଙ୍କ ଗହଳିକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ତଥା ୧୪ ତାରିଖରେ ମନ୍ଦିର ପରିସର ଭିତରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ । ମାତ୍ର ପ୍ରତ୍ୟେକ ଦିନ ମା’ଙ୍କ ବେଶ, ନୀତିକାନ୍ତି, ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଯଥାରୀତିରେ ସମ୍ପାଦାନ ହେବ ।

ସେହିପରି ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ଐତିହାସିକ ବାଲି ମକରମେଳା ଆସନ୍ତାକାଲି ହେବାକୁ ଥିବାରୁ ସଂକ୍ରମଣକୁ ଆଖିରେ ରଖି ଏହି କଟକଣା ଜାରି କରାଯାଇଛି । ଆଜି ସକାଳ ୬ଟାରୁ ୧୬ ତାରିଖ ମଧ୍ୟା ୧୨ଟା ପର୍ଯ୍ୟନ୍ତ ୪ ଦିନ ଏହି କଟକଣା ବଳବତ୍ତର ରହିବ । ଏହି ସମୟରେ ମନ୍ଦିରର ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ପୀଠକୁ ପ୍ରବେଶ ଉପରେ ବାରଣ କରାଯାଇଛି । ମହାନଦୀର ବକ୍ଷସ୍ଥଳରେ ଅବସ୍ଥିତ ଏହି ପୀଠକୁ ଓଡିଶୀର ଦୀର୍ଘତମ ଟି-ସେତୁ ସଂଯୋଗ କରିଥିବାରୁ ପ୍ରତ୍ୟେହ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ତେଣୁ ଐତିହାସିକ ବାଲି ମକରମେଳାରେ ଭିଡ ଏଡାଇବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।